ପ୍ରତ୍ୟକ୍ଷ ରାଜନୀତିରୁ ଓହରିଲେ ଅଚ୍ୟୁତ ସାମନ୍ତ, ପୂର୍ବବତ ଜାରି ରହିବ ସମାଜସେବା

ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଛନ୍ତି ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
୨୦୧୮ ମସିହା ୭ ମାର୍ଚ୍ଚରେ ରାଜନୀତିରେ ପ୍ରବେଶ କରିଥିଲେ ଅଚ୍ୟୁତ ସାମନ୍ତ। ବିଜେଡିରେ ଯୋଗ ଦେଇଥିଲେ।ପ୍ରଥମେ ରାଜ୍ୟସଭାକୁ ଯିବା ପରେ ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । ୨୦୨୪ରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇଥିଲା। କିନ୍ତୁ ଚଳିତ ଥର ନିର୍ବାଚନରେ ସେ ହାରି ଯାଇଛନ୍ତି।