thelifelinemedia
Latest Odisha News, Breaking News Today

ମୋଦି ଶପଥ ନନେବା ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ନୀତିଶ କୁମାର, ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବଡ ପଦବୀ ମାଗି ପାରନ୍ତି ନୀତିଶ

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଏବେ ସମସ୍ତଙ୍କ ନଜର। କାରଣ ଏନଡିଏ ହେଉ କି ଇଣ୍ଡିଆ ମେଣ୍ଟ ଯେଉଁ ମେଣ୍ଟକୁ ନୀତିଶଙ୍କ ସମର୍ଥନ ରହିବ ସେହି ମେଣ୍ଟ ସମ୍ଭବତଃ କେନ୍ଦ୍ରରେ ସରକାର ଗଠନ କରିବ। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇନଥିବାରୁ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଏନଡିଏ ପାଇଁ ଜରୁରୀ ହୋଇପଡିଛି।ଯଦିଓ ଏନଡିଏରେ ନୀତିଶ କୁମାର ଅଛନ୍ତି ହେଲେ ତାଙ୍କ ଉପରେ ଏଭଳି ସ୍ଥିତିରେ ଭରଷା କରିବା ଭାରି କଷ୍ଟ। କାହିଁକି ନା ସହଯୋଗୀ ପରିବର୍ତ୍ତନ କରିବାରେ ନୀତିଶ କୁମାର ମାହିର। ନିଜ ସୁବିଧା ପାଇଁ ନୀତିଶ କୁମାର ଯେ କୌଣସି ସମୟରେ ଏନଡିଏ ଛାଡି ପୁଣି ଥରେ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇପାରନ୍ତି। ତେଣୁ ଏନଡିଏ ସରକାର ଗଠନ ପାଇଁ ନୀତିଶଙ୍କ ସମର୍ଥନ ନିହାତି ଜରୁରୀ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦି ଶପଥ ନନେବା ପର୍ଯ୍ୟନ୍ତ ନୀତିଶ କୁମାର ଦିଲ୍ଲୀରେ ରହିବେ ବୋଲି ସୂଚନା ମିଳୁଛି।

ଅନ୍ୟପଟେ ଏଭଳି ସ୍ଥିତିର ଫାଇଦା ଉଠେଇବାକୁ ଯାଇ ନୀତିଶ କୁମାର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ ପଦବୀ ପାଇଁ ଲବି ଚଲେଇବା ଆରମ୍ଭ କରିଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡୁଛି।ଲୋକସଭା ନିର୍ବାଚନର ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୨୪୦ ଟି ଆସନ ପାଇଛି, ଯାହା କି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଠାରୁ ୩୨ ଟି ଆସନ ଦୂରରେ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ମୁଖ୍ୟ ସହଯୋଗୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଯଥାକ୍ରମେ ୧୬ ଓ ୧୨ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇ ଏବଂ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସମର୍ଥନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି।

Leave A Reply

Your email address will not be published.