ଇତିହାସ ରଚିବେ ନବୀନ, ଷଷ୍ଠଥର କ୍ଷମତାକୁ ଆସିଲେ ଦେଶରେ ସର୍ବାଧିକ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବେ

ଭୁବନେଶ୍ୱର:ଥରେ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର ସିଏମ୍ ଚଉକି ହାସଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଆଉ ରେକର୍ଡ ତାଙ୍କ ନାଁରେ ଯୋଡି ହେବାକୁ ଯାଉଛି।ବିଚକ୍ଷଣ ଦକ୍ଷତା ଆଉ ଗୋଟି ଚାଳନା ବଳରେ ବିରୋଧୀଙ୍କୁ ନାକେଦମ କରି ଦୀର୍ଘ ବର୍ଷ ହେଲା ନେଇ ଆସୁଛନ୍ତି ନେତୃତ୍ବ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ପାଦରେ ଏଡାଇ ଦୀର୍ଘ ଦୁଇ ଦଶନ୍ଧି ହେଲା ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଏପରିକି ବିଜୁ ଜନତା ଦଳ ତଥା ଓଡ଼ିଶା ରାଜନୀତିରେ ମୁକୁଟ ବିହୀନ ସମ୍ରାଟ ଭାବେ ପରିଚୟ ପାଇଛନ୍ତି ନବୀନ ପଟ୍ଟନାୟକ। ଏଥର ଯଦି ସେ ପୁଣି ଥରେ କ୍ଷମତାକୁ ଆସୁଛନ୍ତି ତା ହେଲେ ନୂଆ ଇତିହାସ ରଚିବେ। ଷଷ୍ଠ ପାଳିରେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଯଦି ବିଜେଡି କ୍ଷମତାକୁ ଆସେ ଆଉ ନବୀନ ଜୁନ ୯ରେ ଶପଥ ନିଅନ୍ତି ତା ହେଲେ ତାର ୭୦ଦିନ ପରେ ନବୀନ ପୱନ ଚାମଲିଙ୍ଗଙ୍କ ରେକର୍ଡ କାଟିବେ।
୨୦୦୦ ମସିହାରେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏହି ଜନନାୟକ । ବିଚକ୍ଷଣ ଓ ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ସେ ୨୦୦୦, ୨୦୦୪, ୨୦୦୯, ୨୦୧୪ଓ ୨୦୧୯ ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ।ଏବେ ୨୦୨୪ରେ ଷଷ୍ଠ ପାଳି ଅପେକ୍ଷାରେ ନବୀନ ପଟ୍ଟନାୟକ।