ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଏଥର ରହିଛି ଭୋଟରଙ୍କ ସଂଖ୍ୟା ସର୍ବାଧିକ

ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର। ରାତି ପହିଲେ ପଡ଼ିବ ଭୋଟ। ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ପାର୍ଟି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଆସନ୍ତାକାଲି ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଛନ୍ତି। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ। ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଛି।
ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ରାଜ୍ୟରେ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି।