ଆସନ୍ତା ତିନିଦିନ ଗ୍ରୀଷ୍ମ ଲହରୀ, ପଶ୍ଚିମରେ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେବ

ଭୁବନେଶ୍ୱର:ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ।ଗ୍ରୀଷ୍ମ ଲହରୀରେ ଭାଜିହେବ ଓଡିଶା। ପଶ୍ଚିମରେ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।ଏନେଇ ଆସନ୍ତା ୪୮ ଘଣ୍ଟାରେ ଅତି ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରି ସ୍ଥିତି ଉପୁଜିପାରେ । ସେହି ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ , ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି । ତେବେ ଆସନ୍ତା ୩ ଦିନ ପରେ ହଟିବ ହିଟ୍ ୱେଭ ୱର୍ଣି । କିନ୍ତୁ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ଗୁଳୁଗୁଳି ଅନୁଭୁତ ହେବ । ଏବେ ମୁଖ୍ୟତଃ ଉପକୁଳ ଓଡ଼ିଶାରେ ଆଦ୍ରତା ୮୦ ପ୍ରତିଶତରୁ ଅଧିକ ରହିଛି। ଫଳରେ ତାପମାତ୍ରା କମ୍ ଥିଲେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା୫ ଦିନ ଧରି ଏଭଳି ସ୍ଥିତି ଜାରୀ ରହିବ । ସେହିପରି ୨ ତାରିଖ ଯାଏଁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଘଂଟା ପ୍ରତି ପବନର ବେଗ ରହିବ ୩୦_୪୦ କିଲୋମିଟର । ତେବେ ଗତ 24 ଘଣ୍ଟାରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅଯଥା ବାହାରେ ବୁଲିବା ଦ୍ବାରା ଅଂଶୁଘାତର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ସତର୍କ ରହିବା ପାଇଁ କହିଛି ପାଣିପାଗ କେନ୍ଦ୍ର । ତେବେ ୨ ତାରିଖରୁ କମିବ ତାପମାତ୍ରା । ୨_୪ ଡିଗ୍ରୀ ଖସିପାରେ ତାପମାତ୍ରା ।
ପୁରା ଦେଶରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି।ଦିଲ୍ଲୀଠୁ ଆରମ୍ବ କରି ରାଜସ୍ଥାନ ପର୍ଯ୍ୟନ୍ତ ସବୁଠି ତାତିର କହର ଦେଖିବାକୁ ମିଳିଛି। ଖାସ କରି ଉତ୍ତର ପୂର୍ବରେ ଅଧିକ ଗରମ ଅନୁଭୂତ ହେଉଛି। ଦେଶରେ ମୌସୁମୀ ପ୍ରବେଶ କରି ସାରିଛି। ପୁରା ଦେଶରେ ମୌସୁମୀ ପ୍ରବେଶ କରିବା ନେଇ ଆହୁରି ସମୟ ଲାଗିବ। ସେତେ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର।