ପୁଣି କଲବଲ କରିବ ତାତି: ୩ରୁ ୫ଡିଗ୍ରୀ ବଢ଼ିପାରେ ପାରଦ, ଚଳିତବର୍ଷ ଓଡିଶାରେ ହୋଇପାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ପୁଣି ବଢିବ ତାତି। କଲବଲ କରିବ ଗୁଳୁଗୁଳି। ଖରା ସାଙ୍ଗକୁ ଭୀଷଣ ଗରମ ହେବ। ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ପ୍ରାୟ ସବୁ ଜାଗାରେ ତାତି ବଢିବା ନେଇ ପୂର୍ବ ଅନୁମାନ ହେଇଛି।
ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ।ଆଗାମୀ ୨୪ ଘଣ୍ଟାରେ ଗୁଳୁଗୁଳି ସ୍ଥିତି ରହିବ । ବର୍ତ୍ତମାନ ଆର୍ଦ୍ରତା ବହୁତ ଅଛି, ତାପମାତ୍ରା ମଧ୍ୟ ବଢିବା ସମ୍ଭାବନା ରହୁଛି ।୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ।୩୦ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ।ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ। ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ। ଓଡିଶାକୁ ମୌସୁମୀ ଛୁଇଁବା ଆକଳନ ଚାରିଦିନ ପୂର୍ବରୁ କରିହେବ ।ଓଡ଼ିଶାର କିଛି କିଛି ସ୍ଥାନରେ କମ ବର୍ଷା ହୋଇପାରେ କିଛି ଜାଗାରେ ମେଘୁଆ ପାଗ ରହିବ । କିନ୍ତୁ ଚଳିତବର୍ଷ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିପାରେ ।
ଗତବର୍ଷ ବିଳମ୍ବରେ ଆସି ସଅଳ ଫେରିଥିଲା ମୌସୁମୀ ।ପୂର୍ବବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।ଜୁନ୧ରୁ ୧୫ ଭିତରେ ଓଡିଶା ଛୁଇଁବାର ସମ୍ଭାବନା ରହିଥାଏ ।ହେଲେ ବିଳମ୍ବରେ ଅର୍ଥାତ ୨୨ରେ ଛୁଇଁଥିଲା ।ସେହିପରି ୧୩ ଅକ୍ଟୋବର ଅର୍ଥାତ ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲା ।ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୨ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ ।ଏଥର ଠିକ ସମୟରେ ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ ହେଉଛି।ଜୁନ ୧ସୁଦ୍ଧା ମୌସୁମୀ କେରଳ ଛୁଇଁବ। ତା ପରେ ୧୦ରୁ ୧୫ଦିନ ପରେ ଓଡ଼ିଶାକୁ ମୌସୁମୀ ଆସିବ।ଦେଶରେ ଏଥର ମୌସୁମୀ ଭଲ ବର୍ଷା ଆଣିପାରେ କିନ୍ତୁ ଓଡିଶାରେ ନିଅଣ୍ଟିଆ ବର୍ଷା ହୋଇପାରେ ବୋଲି ଅନୁମାନ ହେଉଛି।