ବିଜେପିର ସକଳ୍ପ ପତ୍ର, ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ଫୋକସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାରି କରିଛି ସକଳ୍ପ ପତ୍ର । ଡିଗ୍ନିଟି ଅଫ୍ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ କୁ ଫୋକସ କରିଛି ବିଜେପି। ବିକଶିତ ଭାରତ ପାଇଁ ସକଳ୍ପ ପତ୍ର ଜାରି କରି ନିର୍ବାଚନୀ ମଇଦାନରେ ରାଣାହୁଙ୍କାର ଦେଇଛି ବିଜେପି। ନିଜେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଆସନ୍ତୁ ନଜର ପକାଇବା ବିଜେପିର ସକଳ୍ପ ପତ୍ରରେ କଣ ବିଶେଷତା ରହିଛି।
ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଯୋଜନାର ପରିସରକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ୭୦ ବର୍ଷରୁ ଉଦ୍ଧ୍ୱର୍ ମଧ୍ୟବିତ ପରିବାରର ଲୋକ ମଧ୍ୟ ଏଣିକି ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏହାସହ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ପୂର୍ବଭଳି ସୁଲଭ ଦରରେ ଔଷଧ ମିଳିବ । ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ୍ କରାଯିବ। ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ବୋଲି ନଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ୟ୍ୟନ୍ତ ଋଣ ବୃଦ୍ଧି କରାଯିବ ।
ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣର ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ପରିବାର ବଢ଼ୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଦଳ । ସେହିପରି ଶସ୍ତାରେ ପାଇପ୍ ଜରିଆରେ ଗ୍ୟାସ ଏବଂ ଗରିବ ଲୋକଙ୍କୁ ମାଗଣା ବିଜୁଳି ଦେବା ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।
୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ମହିଳା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅଧିକ ରୋଜଗାର ସୃଷ୍ଟି କରିବା ଆମ ଲକ୍ଷ୍ୟ । ମହିଳା, ଗରିବ, ଯୁବ ଓ କୃଷକଙ୍କୁ ସଶକ୍ତ କରାଯିବ । ଶସ୍ତାରେ ଔଷଧ ଯୋଗାଇ ଦିଆଯିବ । ଆଗାମୀ ୫ ବର୍ଷ ଯାଏଁ ମାଗଣା ରାସନ ମିଳିବ । ବିର୍ସାମୁଣ୍ଡା ୧୫୦ ଜୟନ୍ତୀ ଦେଶବ୍ୟାପୀ ପାଳନ ହେବ । ଡିଜିଟାଲ ଜନଜାତି କଳା ଏକାଡେମୀ ସ୍ଥାପନ ହେବ । ୭୦୦ରୁ ଅଧିକ ଏକଲବ୍ୟ ସ୍କୁଲ ନିର୍ମାଣ କରାଯିବ । ତାମିଲ ଭାଷାକୁ ଲୋକପ୍ରିୟ ପାଇଁ ପଦକ୍ଷେପ ନିଆଯିବ ।
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କରାଯିବ । ପରିବା ଉତ୍ପାଦନ ଓ ସଂରକ୍ଷଣ ପାଇଁ କ୍ଲାଷ୍ଟର ବ୍ୟବସ୍ଥା କରାଯିବ । ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ ସଶକ୍ତିକରଣ ସୁବିଧା କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ବୃଦ୍ଧି କରାଯିବ । ଆତଙ୍କବାଦ ବିରୋଧରେ ସହନଶୀଳ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାମପନ୍ଥୀ ଉଗ୍ରବାଦୀଙ୍କୁ ନିପାତ କରାଯିବ । ସୀମା ସୁରକ୍ଷା ପାଇଁ ଭିତ୍ତିଭୂମିକୁ ସୁଦୃଢ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣର ହବ ହେବ ଭାରତ । ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତରେ ଗଡିବ ବୁଲେଟ ଟ୍ରେନ । ବୁଲେଟ ଟ୍ରେନ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ସର୍ଭେ । ପ୍ରଶ୍ନପତ୍ର ଲିକ ନେଇ ଆସିବ କଡ଼ା ଆଇନ । କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁଗୃହ ବ୍ୟବସ୍ଥା କରାଯିବ ।
ସେହିପରି ଡାକ୍ତରି ପାଠ୍ୟକ୍ରମ ପାଇଁ ସିଟ୍ ବୃଦ୍ଧି ଭଳି ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି ଏହାର ମନିଫେଷ୍ଟକୁ ସଂକଳ୍ପ ପତ୍ର, ଜ୍ଞାନ ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ନାମରେ ନାମିତ କରିଛି। ଏହି ସଂକଳ୍ପ ପତ୍ର ବିକଶିତ ଭାରତର ୪ଟି ମଜବୁତ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜନାଥ ସିଂହ, ଅମିତ ଶାହ ଏବଂ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତି ଥିଲେ।
ବିଜେପିର ଏହି ପ୍ରତିଶ୍ରୁତିର ପାହାଡ଼ ଭିତରେ କିନ୍ତୁ ବେରୋଜଗାରୀ ଏବଂ ଦରଦାମ ବୃ୍ଦ୍ଧି ପ୍ରସଙ୍ଗରେ ଯେମିତି ନୀରବ ରହିଛି ସଂକଳ୍ପପତ୍ର ।ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଦେଖିବାର କଥା ବିଜେପିର ମୋଦୀ ଗ୍ୟାରେଂଟି ଜନତାଙ୍କୁ କେତେ ଆକର୍ଷିତ କରୁଛି। କଂଗ୍ରେସର ୫ ନ୍ୟାୟ ୨୫ ଗ୍ୟାରେଂଟିର ପ୍ରତିଶ୍ରୁତି ଭୋଟରଙ୍କୁ ପ୍ରଭାବିତ କରୁଛିକି ବିଜେପିର ସକଳ୍ପ ପତ୍ର ଲୋକକୁ ଆକର୍ଷିତ କରୁଛି।