thelifelinemedia
Latest Odisha News, Breaking News Today

ଯୁଦ୍ଧମୁହାଁ ମଧ୍ୟପ୍ରାଚ୍ୟ, ଆଉ ଏକ ଯୁଦ୍ଧ ଆଁରେ ବିଶ୍ୱ

ଲାଇଫ ଲାଇନ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ । ଆଉ ଏକ ଯୁଦ୍ଧ ଆଁରେ ବିଶ୍ୱ। ରୁଷ ଯୁକ୍ରେନ ଯୁଦ୍ଧ ସରିନି। ଇସ୍ରାଏଲ ହମାସ ଯୁଦ୍ଧ ଚାଲିଛି। ଏବେ ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇଛି। ପ୍ରତିଶୋଧ ନେବାକୁ ଯାଇ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରି ଯୁଦ୍ଧ ଜ୍ୱାଳାରେ ପାଦ ଥାପିଛି। ବିଶ୍ୱ ଅନେକ ଯୁଦ୍ଧକୁ ଅଙ୍ଗେ ନିଭାଇଛି।ଏବେ ଆଉ ଏକ ଯୁଦ୍ଧରେ ପାଦ ଥାପିଛି ବିଶ୍ୱ। ମଧ୍ୟ ପ୍ରାଚ୍ୟରେ ଏ ଯୁଦ୍ଧର ନିଆଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖା ଦେଇଛି।

ଇସ୍ରାଏଲ ଉପରେ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଲକ୍ଷ୍ୟ ପୂରଣ ହୋଇଥିବା କହିଛି ଇରାନ । ଏଥିସହ ଅଧିକ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି । କିନ୍ତୁ ଇସ୍ରାଏଲ ଇରାନ ଉପରେ କୌଣସି ଆକ୍ରମଣ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ ଚେତାଇ ଦିଆଯାଇଛି ।

ସେପଟେ ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ମାଟିରେ ପଡ଼ି ନଥିବା କହିଛନ୍ତି ଇସ୍ରାଏଲ ସେନା ପ୍ରବକ୍ତା । ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଇରାନ ପକ୍ଷରୁ ୧୭୦ ଡ୍ରୋନ, ୩୦ରୁ ଅଧିକ କ୍ରୁଜ୍ ମିସାଇଲ ଓ ୧୨୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି ଆରମ୍ଭ କରିଛି । ଇରାନ ପ୍ରଥମ ଥର ପାଇଁ ନିଜ ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ତେଣୁ ଏହାର ଦୃଢ଼ ଜବାବ ଦେବାକୁ ବଡ଼ ଯୋଜନା ଚଳାଇଛି ଇସ୍ରାଏଲ । ଯଦି ଏଭଳି ହୁଏ ତେବେ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି ।

ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଗାଜା ଆକ୍ରମଣ ଘଟଣାର ପ୍ରମୁଖ ଭୂମିକା ରହିଛି । ଇସ୍ରାଏଲ ସେନା ଗାଜାରେ ପ୍ରଚଣ୍ଡ ଆକ୍ରମଣ କରିବା ବେଳେ ପଡୋଶୀ ଲେବନନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ‘ହିଜବୁଲ୍ଲା’ ପାଲେଷ୍ଟାଇନ ସମର୍ଥନରେ ବାହାରିଥିଲା । ଉତ୍ତର-ଇସ୍ରାଏଲର କିଛି ଅଞ୍ଚଳରେ ‘ହିଜବୁଲ୍ଲା’ ଆକ୍ରମଣ ମଧ୍ୟ କରିଥିଲା । ଏହି ହିଜବୁଲ୍ଲା ସଂଗଠନ ଲେବନନର ହୋଇଥିବା ବେଳେ ଏହାର ପୃଷ୍ଠପୋଷକତା ଇରାନ ଦ୍ବାରା ହେଉଥିବା ଅଭିଯୋଗ ହୋଇଥିଲା । ଇରାନ ସିରିୟାରେ ଥିବା ଏୟାରବେସ ବ୍ୟବହାର କରି ଲେବନନରେ ‘ହିଜବୁଲ୍ଲା’ ଆତଙ୍କବାଦୀ ଗୋଷ୍ଠୀ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଉଥିବା ଅଭିଯୋଗ ହେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଥିଲା । ସେତେବେଳେ ଇସ୍ରାଏଲ ବାୟୁସେନା ଲେବନନର କିଛି ଅଞ୍ଚଳରେ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ବେଳେ ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରିସ୍ଥିତିକୁ ବିସ୍ଫୋରକ କରିଦେଇଛି। ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଗତରାତିରେ ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି।
ଆଗକୁ କଣ ହେବ ମଧ୍ଯପ୍ରାଚ୍ଯ ସ୍ଥିତି? ସଙ୍କଟର ପରିସମାପ୍ତି ନା ଆଗକୁ ଚାଲିବ ବଡ଼ ଧରଣର ଯୁଦ୍ଧ। ଏହାକୁ ନେଇ ଜାରି ରହିଛି ସସପେନ୍ସ। ଇରାନ ଉପରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଏଥିରେ ଆମେରିକା ଭାଗ ନେବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବାଇଡେନଙ୍କ ଏହି ସୂଚନା ପରେ ସମ୍ଭବତଃ ଇସ୍ରାଏଲ ନରମି ଥିବା କୁହାଯାଉଛି।

Leave A Reply

Your email address will not be published.