ଏଥର ୫୨ରୁ ଅଧିକ ସିଟ ପାଇବ କଂଗ୍ରେସ, ଦୃଢୋକ୍ତି ବାଢିଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ

ନୂଆଦିଲ୍ଲୀ: ଏଥର ଅଧିକ ସିଟ ପାଇବ କଂଗ୍ରେସ। ୧୯ ଅପେକ୍ଷା ୨୪ରେ କଂଗ୍ରେସ ଖାତାକୁ ଅଧିକ ସିଟ ଯିବାନେଇ ଦୃଢୋକ୍ତି ବାଢିଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରିବା ସହିତ ବିଜେପିକୁ ଜବରଦସ୍ତ ଟକ୍କର ଦେଇପାରେ। ଖାସକରି ତାମିଲନାଡୁ ଏବଂ କେରଳରେ ମେଣ୍ଟ ଭଲ ପ୍ରଦର୍ଶନ କରିବ। ସେଠାରେ ମୋଦିଙ୍କ ରଣନୀତି କାମ ଦେବନି ବୋଲି ଚିଦାମ୍ବରମ କହିଛନ୍ତି।
କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କଂଗ୍ରେସ ସରକାରରେ ଅଛି ତେଣୁ ସେଠାରୁ ଦଳ ଭଲ ଫାଇଦା ଉଠାଇବ। ମୋଟାମୋଟି କହିବାକୁ ଗଲେ ପୂର୍ବ ଅପେକ୍ଷା ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ ଅର୍ଥାତ ୧୯ ଅପେକ୍ଷା ୨୪ରେ କଂଗ୍ରେସ ଅଧିକ ସିଟ ଦଖଲ କରିବ।
୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ସିଟରେ ସୀମିତ ରହିଥିଲା। ଏଥର ତା ଠାରୁ ଅଧିକ ସିଟ ପାଇବ ବୋଲି କହିଛନ୍ତି ଚିଦାମ୍ବରମ। କଂଗ୍ରେସ ଏବଂ ଏହା ନେତୃତ୍ୱଧୀନ ଇଣ୍ଡି ମେଣ୍ଟକୁ ଆଣ୍ଟି ହିନ୍ଦୁ କହି ଟାର୍ଗେଟ କରିଆସୁଥିବା ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ଚିଦାମ୍ବରମ। ସେ କହିଛନ୍ତି ମୋଦି ଏହାକୁ ନେଇ ରାଜନୀତି କରୁଛନ୍ତି। ଆଣ୍ଟି ହିନ୍ଦୁ କାର୍ଡ ଖେଳି ୨୪ ନିର୍ବାଚନ ପାର ହେବାକୁ ମୋଦି ବାର ବାର ଏଭଳି ଶବ୍ଦ ବ୍ୟବହାର କରୁଛନ୍ତି। ଏଥର ୨୪ ନିର୍ବାଚନରେ ମମତା ବାନାର୍ଜୀ କି ଫାକ୍ଟର ଭୂମିକା ନିଭାଇ ପାରନ୍ତି ବୋଲି କଂଗ୍ରେସର ଏଇ ବରିଷ୍ଠ ନେତା କହିଛନ୍ତି।