ଭୁବନେଶ୍ୱର @ ୭୬, ବୟସ ବଢିବା ସହିତ ରାଜଧାନୀକୁ ଛୁଉଁଛି ଯୌବନ

ଭୁବନେଶ୍ୱର : ୭୬ ବର୍ଷରେ ରଜଧାନୀ ଭୁବନେଶ୍ୱର। ସମୟ ସହିତ ତାଳ ଦେଇ ଆଗକୁ ବଢୁଛି ଆମ ରାଜଧାନୀ। ବୟସ ବଢିଲେ ମଣିଷର ବୁଢାପା ଆସିଯାଏ କିନ୍ତୁ ଏଠି ବୟସ ବଢିବା ସହିତ ରାଜଧାନୀକୁ ଯୌବନ ଛୁଇଁବାରେ ଲାଗିଛି। ଯେତେ ଦେଖିଲେ ନୂଆ ନୂଆ ଲାଗୁଛି ଭୁବନେଶ୍ୱର। ୧୯୪୮ ଏପ୍ରିଲ୍ ୧୩ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ।୪୦ ହଜାର ଲୋକ ରହିବା ପାଇଁ ତିଆରି ହୋଇଥିବା ସହରର ଲୋକସଂଖ୍ୟା ଆଜି ୧୨ ଲକ୍ଷ ଟପିଲାଣି।
ମନ୍ଦିରମାଳିନୀ ସହରରୁ ରାଜ୍ୟର ରାଜଧାନୀ ଏବଂ ସ୍ମାର୍ଟସିଟି ମାନ୍ୟତା ପାଇଥିବା ଭୂବନେଶ୍ବର ୭୬ ବର୍ଷରେ ପାଦ ଥାପିଛି। ସହରର ନବକଳେବର ହେବା ସହ ଦେଶର ମେଟ୍ରୋ ସିଟି ମାନଙ୍କ ସହ ତାଳଦେଉଛି ଭୂବନେଶ୍ବର। ସ୍ବାସ୍ଥ୍ୟ,ଶିକ୍ଷା,ଗମନାଗମନ ,ଖେଳକୁଦ, ସଂସ୍କୃତି,ପର୍ଯ୍ୟଟନ କ୍ଷେତ୍ରରେ ସଫଳତାର ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡି ହେଇ ଚାଲିଛି
ପ୍ରତିଷ୍ଠା ସମୟରେ ଛୋଟିଆ ସହର ଥିବା ଭୂବନେଶ୍ବରର ପରିସୀମା ବଢିବଢି ଚାଲିଛି। ୧୯୫୨ ଅକ୍ଟୋବର ୧ରେ ଭୂବନେଶ୍ବର ବିଞ୍ଜାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଲା । ୧୯୮୩ ଏପ୍ରିଲ୍ ୧ରେ ବିଡିଏ ଗଠନ ହୋଇଥିଲା। ୧୯୯୪ ମସିହାରେ ଭୂବନେଶ୍ବର ମହାନଗର ନିଗମ ଗଠନ ହୋଇଥିଲା ।
ରାଜଧାନୀ ପ୍ରତିଷ୍ଠା ବେଳକୁ ହାତଗଣତି କେତୋଟି ଶିକ୍ଷାନୁଷ୍ଠାନ ଥିବା ସହର ଏବେ ଉଚ୍ଚଶିକ୍ଷାର ହବ୍ ପାଲଟିଛି। ଉତ୍କଳ ବିଶ୍ୱବିଦ୍ୟାଳୟ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, କିଟ୍ଓ କିସ୍ ପରି ଶିକ୍ଷାନୁଷ୍ଠାନ ଏବେ ସହରକୁ ନମ୍ବର ଓ୍ବାନର ମାନ୍ୟତା ଦେଇଛି।
ସେହିପରି ଆଇଆଇଟି,ନାଇଜର,ଏନଆଇଏଫଟି ପରି ଉଚ୍ଚଶିକ୍ଷାନୁଷ୍ଠାନ ସବୁ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପାଠପଢିବାର ସୁଯୋଗ ଦେଇଛି।
ଭୂବନେଶ୍ବର ଏବେ ପାଲଟିଛି ଆଇଟି ହବ୍। ଡେଲଏଟ୍, ଆସେନଞ୍ଜର, କଗ୍ନିଜ୍ୟାଣ୍ଟ୍, ଟିସିଏସ୍, ଆଇବିଏମ୍ ପରି ବଡବଡ ଆଇଟି ହବ୍ ଭୂବନେଶ୍ବର ରେ ରହିଛି। ଏହାସହ ବହୁ ବିଦେଶୀ କମ୍ପାନୀ ଭୂବନେଶ୍ବର ରେ ନିଜର କାର୍ଯ୍ୟାଳୟ ଖୋଲୁଥିବା ବେଳେ ରାଜ୍ୟସରକାରଙ୍କ ଦ୍ବାରା ସେମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଆଗକୁ ଆହୁରି ଅଧିକ ଆଇଟି କଂପାନୀ ଭୂବନେଶ୍ବରରେ ନିଜ କାର୍ଯ୍ୟାଳୟ ଆରମ୍ଭ କରିବେ ଏବଂ ସୁଯୋଗ ବହୁତ ବଢିବ ଏଥିରେ ସନ୍ଦେହ ନାହିଁ।
କୋଲକାତା,ଦିଲ୍ଲୀ,ମୁମ୍ବାଇ ପରି ଓଡିଶାରେ ବି ଚାଲିବାକୁ ଯାଉଛି ମେଟ୍ରୋ ଟ୍ରେନ୍। ଐତିହ୍ୟ ସହର ଭୂବନେଶ୍ବର ରୁ ରୌପ୍ଯ ନଗରୀ କଟକକୁ ପ୍ରଥମ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଜୋରସୋର କାମ ଆରମ୍ଭ ହୋଇଯାଇଛି।ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି କାମ ମଧ୍ଯ ଆରମ୍ଭ କରିସାରିଲେଣି।
ଭୂବନେଶ୍ବରକୁ ଯଦି କେଉଁ କ୍ଷେତ୍ର ରେ ଅଧିକ ପ୍ରଶଂସା ମିଳିଛି ତାହା ହେଉଛି ସ୍ପୋର୍ଟସ କ୍ଷେତ୍ର ରେ। କଳିଙ୍ଗ ଷ୍ଟାଡିୟମ ରେ ୨ ଥର ହକି ବିଶ୍ବକପ୍ ଆୟୋଜନ କରି ଅନ୍ତର୍ଜାତିୟ ସ୍ତରରେ ନିଜର ଦବଦବା ଜାହିର କରିପାରିଛି ରାଜଧାନୀ ।ହକିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ କଳିଙ୍ଗ ଷ୍ଟାଡିୟମ ସର୍ବଭାରତୀୟ ସ୍ତରରେ ନୂଆ ମାଇଲଖୁଣ୍ଟ ହୋଇ ଠିଆ ହୋଇଛି। ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ଭୂବନେଶ୍ବର ନାମ କମେଇ ଥିବାବେଳେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସିତ ମଧ୍ଯ ହୋଇଛି।ହକି ସହିତ ବିଭିନ୍ନ ଅନ୍ତର୍ଜାତିୟ ଖେଳ ମଧ୍ଯ ଆୟୋଜିତ କରିଛି ଭୂବନେଶ୍ବର।