କଂଗ୍ରେସର ଟିକେଟ ଚୂଡାନ୍ତ, ଖୁବ ଶୀଘ୍ର ହେବ ଘୋଷଣା।

ଭୁବନେଶ୍ୱର: ଟିକେଟ ଚୂଡାନ୍ତ କରିସାରିଛି କଂଗ୍ରେସ। ପୁରୀରେ ଏ ନେଇ ଗୁପ୍ତ ବୈଠକରୁ ଏପରି କିଛି ଆଭାସ ମିଳୁଛି। କୁହାଯାଉଛି 3 ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟଜ ଓ ତାଙ୍କ ଟିମ ଏ ନେଇ ତନାଘନା ବୈଠକ କରୁଛନ୍ତି। କୁହା ଯାଉଛି ପ୍ରଥମ ପର୍ଯ୍ୟାୟରେ 62 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ପୁରୀ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଦିଲ୍ଲୀରୁ ପ୍ରାର୍ଥୀତ୍ୱ ଉପରେ ମୋହର ବାଜିବ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଆମେ ୯ ରୁ ୯୦ ଆସନକୁ ଯିବୁ। ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ଖୁବଶୀଘ୍ର ଘୋଷଣା ହେବ । ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଶରତ ପଟ୍ଟନାୟକ। କହିଛନ୍ତି
ସେ ଆମ ଦଳରେ କେବେ ନଥିଲେ। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସୁର ରାଉତରାୟ ତାଙ୍କ ପାଇଁ ପ୍ରଚାର କଲେ ଦଳ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବ। ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି। ଓଡ଼ିଶାର ଜନସାଧାରଣ ଏହାର ବିକଳ୍ପ ଭାବେ କଂଗ୍ରେସକୁ କ୍ଷମତାକୁ ଆଣିବେ।ଆମେ ସରକାର ଗଢ଼ିବୁ ବୋଲି ପିସିସି ସଭାପତି କହିଛନ୍ତି। ବିଜେପି ଓ ବିଜେଡି ଯଥାକ୍ରମେ ଗୋଟିଏ ଓ ଦୁଇଟି ଫେଜରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବହୁ ପଛରେ ପଡି ଯାଇଛି କଂଗ୍ରେସ। ଏବେ ଦେଖିବାର କଥା କଂଗ୍ରେସ ଯୋଦ୍ଧା କେବେ ସାମ୍ନାକୁ ଆସୁଛନ୍ତି।