ଦେଶରେ ସିଏଏ ଲାଗୁ, ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ

ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ। ତାରିଖ ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ। କିନ୍ତୁ ତା ପୂର୍ବରୁ ଦେଶରେ ଲାଗୁ ହୋଇଛି ସିଏଏ ବା ନାଗରିକ ସଂଶୋଧନ ଆଇନ। ବିଧିବଦ୍ଧ ଏ ନେଇ ବିଜ୍ଞପ୍ତି ଆସିଛି । ଦେଶରେ ନିର୍ବାଚନୀ ମାହୋଲ ଭିତରେ
ସିଏଏ ବିଜ୍ଞପ୍ତିକୁ ନେଇ ସବୁଠି ଚଳ ଚଞ୍ଚଳ । ଦେଶରେ ଲାଗୁ ହୋଇଛି ବହୁ ପ୍ରତିକ୍ଷିତ ନାଗରିକ ସଂଶୋଧନ ଆଇନ। ଏହା ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି
୨୦୧୯ ମସିହାରେ ଏହା ସଂସଦରେ ପାରିତ ହୋଇଥଲା। ସେତେବେଳେ ସିଏଏକୁ ନେଇ ବ୍ୟାପକ ବିରୋଧ ଓ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଅନେକ ଏହାକୁ ବିରୋଧ କରିଥିବା ବେଳେ ଆଉ କିଛି ଏହାର ସମର୍ଥନରେ ବାହାରିଥିଲେ। ୨୦୧୯ ନିର୍ବାଚନ ବେଳେ ଏହି ପ୍ରସଙ୍ଗକୁ ଆଧାର କରି ବିଜେପି ନିର୍ବାଚନ ଲଢିଥିଲା। ବଡ଼ ମୁଦ୍ଦା କରିଥିଲା ସିଏଏକୁ । ଏବେ ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଇ ରାଜନୀତିକ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ବିରୋଧୀ କହୁଛନ୍ତି।
ନିକଟରେ ଏକ ନିର୍ବାଚନୀ ସଭାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ସିଏଏକୁ ନେଇ ଟିପ୍ପଣୀ ଦେଇଥିଲେ। କହିଥିଲେ ଖୁବ ଶୀଘ୍ର ଦେଶରେ ଏହା ଲାଗୁ ହେବାକୁ ଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି ଅମିତ୍ ଶାହା କହିଥିଲେ।
ଜାଣିବାକୁ ହେବ ସିଏଏ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ। ଏହା ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆମର ତିନୋଟି ପଡୋଶୀ ଦେଶର କିଛି ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀର ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ
ଭଳି ବ୍ୟବସ୍ଥା ଅଣା ଯାଇଛି। ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କୁ ସିଏଏର ଫାଇଦା ମିଳିବ। ସେମାନେ ଭାରତର ନାଗରିକ ହେବାର ସୁଯୋଗ ଆଣିଛି ସିଏଏ।
ତଥ୍ଯ କହୁଛି ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୨୮୩୦ ପାକିସ୍ତାନୀ, ୯୧୨ ଆଫଗାନୀ ଓ ୧୭୨ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି। ଏମାନଙ୍କ ମଧ୍ୟରୁ ଶତାଧିକ ଏହି ତିନୋଟି ଦେଶର ସଂଖ୍ୟାଗରିଷ୍ଠ ସମୁଦାୟରୁ ଆସିଛନ୍ତି। ଏପରି ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ । ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସଂପ୍ରଦାୟକୁ ନାଗରିକତ୍ବ ମିଳିବ। ସରକାରୀ ଯାଞ୍ଚ ପରେ ଆଇନ ଅନୁସାରେ ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଆବେଦନ ବେଳେ କୌଣସି ଦସ୍ତାବିଜର ଦରକାର ପଡିବ ନାହିଁ। ୨୦୧୪ ପୂର୍ବରୁ ଭାରତ ଆସିଥିବା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଏଇ ନିର୍ଦ୍ଦିଷ୍ଟ ସଙ୍ଖ୍ୟାଲଘୁ ଗୋଷ୍ଠୀକୁ ନାଗରିକତ୍ବ ଦିଆଯିବ।