ମେଣ୍ଟରୁ ଫାଇଦା ନେବ କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ ରହିଥିବା ବିଜେପିର ଭୋଟବ୍ୟାଙ୍ଗ କଂଗ୍ରେସ ଖାତାକୁ ଆସିପାରେ। ଫଳରେ ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ ହେବ। ଲୋକଙ୍କ ଆସ୍ଥା ଭାଜନ ହେବାର ସମ୍ଭାବନା କଂଗ୍ରେସ ନିକଟରେ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି କଂଗ୍ରେସ ଆସନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଲୋଚନା ହେଉଛି।
ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡ଼ିକୁ ୪୫ ପ୍ରତିଶତ ଅଧିକ ଭୋଟ ମିଳିଥିଲା। ସେହିପରି ବିଜେପି ପାଖାପାଖି ୩୩ ପ୍ରତିଶତ ଓ କଂଗ୍ରେସକୁ ୧୬ ପ୍ରତିଶତ ଭୋଟ ମିଳିଥିଲା। ଯଦି ଏହି ଗଣିତକୁ ଦେଖାଯାଏ ତେବେ ବିଜେଡ଼ିର ୪୫ ପ୍ରତିଶତ ଭୋଟକୁ ବାଦ ଦେଲେ ଆହୁରି ୫୫ ପ୍ରତିଶତ ଭୋଟ ସରକାରଙ୍କ ବିରୋଧରେ ରହୁଛି। ଏବେ ବିଜେଡ଼ି ଓ ବିଜେପି ଯଦି ମେଣ୍ଟ ହୁଏ ତାହା ହେଲେ ଏହି ଭୋଟ ପ୍ରତିଶତଟି ବିଭାଜିତ ହୋଇଯିବ। ଏପରିକି ଏହି ଭୋଟ ପ୍ରତିଶତର ସିଂହଭାଗ କଂଗ୍ରେସ ଖାତାକୁ ଚାଲିଯିବ ବୋଲି ଆକଳନ କରାଯାଉଛି। ଯାହା ଦଳ ପାଇଁ ବିଜୟର ବାଟ ଖୋଲିବ ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି।