ହେବନି ମେଣ୍ଟ, ଇସାରା ଦେଲେ ନବୀନ!

ଭୁବନେଶ୍ୱର: ଓଡିଶାରେ ବିଜେଡ଼ି ବିଜେପି ମେଣ୍ଟ ଚର୍ଚ୍ଚା ଲାଗିରହିଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କ ଏକ ଭିଡିଓ ରୋଚକ ସ୍ଥିତି ସୃଷ୍ଟି କରିଛି। ମାତ୍ର କେଇ ସେକେଣ୍ଡର ଏଇ ଭିଡିଓ ମେଣ୍ଟ ଚର୍ଚ୍ଚା ଉପରେ ସଙ୍କେତ ଦେଇଛି। ଦୁହେଁ କଥା ହେଉଛନ୍ତି ରାଜନୀତିକୁ ନେଇ। ପଣ୍ଡିଆନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ମେଣ୍ଟ ଚର୍ଚ୍ଚା ଉପରେ ଅବସାନ ଘଟାଇଛି। ଅର୍ଥାତ ଓଡ଼ିଶାରେ ବିଜେଡ଼ି ବିଜେପି ମେଣ୍ଟ ସମ୍ଭାବନା କ୍ଷୀଣ । ଓଡ଼ିଶାରେ ସେମିତି କିଛି ଘଟିବାକୁ ଯାଉନି ଯାହା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ବୁଝା ପଡ଼ୁଛି। ଭିଡିଓଟି ରେ ଏମିତି କିଛି କଥା ଦେଖିବାକୁ ମିଳୁଛି
ପଣ୍ଡିଆନ: ସାର୍ ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ?
ନବୀନ ପଟ୍ଟନାୟକ: ଗୁଜବ ଓ ମିଛ କଥା
ପଣ୍ଡିଆନ: ଗୁଜବ ମିଛ କଥା…ଧନ୍ୟବାଦ ସାର୍
୧୩ ସେକେଣ୍ଡ ଭିଡିଓରେ ଏମିତି କିଛି ବାର୍ତ୍ତାଳାପ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି। ବିଗତ କିଛି ଦିନ ଧରି ମେଣ୍ଟ ଚର୍ଚ୍ଚା ଚାଲିଥିଲା। ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ହଲଚଲ ଚାଲିଥିଲା। ଗୋଟିଏ ପଟେ ବିଜେପି ନେତା ଦିଲ୍ଲୀ ଯାଇଥିଲେ । କେନ୍ଦ୍ରୀୟ ନେତୃତ୍ଵଙ୍କ ସହିତ କୋର୍ କମିଟି ବସିଥିଲା। ଅନ୍ୟପଟେ ନବୀନ ନିବାସରେ ବରିଷ୍ଠ ବଜେଡି ନେତାଙ୍କୁ ନେଇ ନବୀନ ବୈଠକ କଲେ। ବିଜେଡି ନେତା କହିଲେ ୧୨ ବର୍ଷ ପରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି। ରାଜ୍ୟର ସ୍ୱାର୍ଥ ପାଇଁ ଦଳ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବିଜେପି ନେତା ମଧ୍ୟ ମେଣ୍ଟ ନେଇ ସଙ୍କେତ ଦେଇଥିଲେ। ମେଣ୍ଟ ସମ୍ଭାବନାକୁ ଅଧିକ ତେଜି ଥିଲା ଏ ପ୍ରକାର ସବୁ ଘଟଣା କ୍ରମ। କିନ୍ତୁ ମୁଖ୍ୟ ମନ୍ତ୍ରୀ ଏହି ଭିଡିଓ ମାଧ୍ୟମରେ ମେଣ୍ଟ ଚର୍ଚ୍ଚାକୁ ନେଇ ଈସାରା ଦେଇଛନ୍ତି। କୁହାଯାଉଛି ସିଧା କଥା ନକହି ମେଣ୍ଟ ହେବନି ବୋଲି ପରୋକ୍ଷରେ କୁଆଡେ ଇସାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।
ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ ପରେ ଓଡ଼ିଶାରେ ମେଣ୍ଟ ହେବା ନେଇ ସମ୍ଭାବନା ତିଆରି ହୋଇଥିଲା। ଏମିତିକି ଆସନ ବୁଝାମଣା ନେଇ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ନେଇ ମଧ୍ୟ ଚର୍ଚ୍ଚା ହେଲା। କିନ୍ତୁ ସବୁ ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଛି।
ପୂର୍ବରୁ ଗତକାଲି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟକୁ ନାଁ କହିଥିଲେ ଆଜି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ସେହି ସମାନ କଥା କହିଥିଲେ। ଓଡ଼ିଶାରେ ବିଜେପି ଏକାକୀ ଲଢିବ। ଦଳ ବିଧାନସଭାରେ ୮୦+ ଆସନ ଏବଂ ଲୋକସଭାରେ ୧୬ରୁ ଅଧିକ ଆସନ ହାତେଇବ ବୋଲି ତୋମାର କହିଛନ୍ତି। ଗତକାଲି ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖୋଲାଖୋଲି ନାଁ କହିଥିଲେ ରାଜ୍ୟ ବିଜେପି ସଭାପତି। ଓଡ଼ିଶାରେ ମେଣ୍ଟ ନେଇ କୌଣସି ଆଲୋଚନା ହେଇନି। ବିଜେପି ଏକାକୀ ଲଢିବ। ସବୁ ସିଟରେ ବିଜେପି ତାର ପ୍ରାର୍ଥୀ ଦେବ। ରାଜ୍ୟ ବିଜେପି ନେତାଙ୍କ ମନ୍ତବ୍ୟ ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଥମି ନଥିଲ।। ଏବେ କିନ୍ତୁ ଚିତ୍ର ଏକ ପ୍ରକାର ସ୍ପଷ୍ଟ। ଭିଡିଓ ମାଧ୍ୟମରେ
ବୁଲେଇ ବଙ୍କେଇ ମୁଖ୍ୟମନ୍ତ୍ରୀ ମେଣ୍ଟ ପ୍ରସଙ୍ଗ ଗୁଜବ ଓ ମିଚ୍ଛ ବୋଲି କହିଛନ୍ତି।