ଯୌତୁକରେ ଦିଆଯାଏ ବିଷାକ୍ତ ସାପ

ଅଜବ ପରମ୍ପରା। ଯେଉଁଠି ଝିଅକୁ ଯୌତୁକ ଦିଆଯାଏ ବିଷାକ୍ତ ସାପ। ବାହାଘର ଉପହାର ସ୍ବରୂପ ପୁଅ ଘରକୁ ପଠାଯାଏ ସାପ।ମଧ୍ୟପ୍ରଦେଶରେ ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଯୌତୁକରେ ଅଜବ ଜିନିଷ ଦିଆଯାଉଛି। ଝିଅର ବାପା ଝିଅକୁ ମହଙ୍ଗା ଉପହାର ବଦଳରେ ପୁଅଘରକୁ ବିଷାକ୍ତ ସାପ ଦିଅନ୍ତି। ଏଭଳି କଥା ସହଜରେ ବିଶ୍ଵାସ ହେଉ ନଥିବ। ସତରେ କଣ ଆଜିକା ଯୁଗରେ ଏଭଳି ଘଟଣା ଘଟୁଥିବ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ। କିନ୍ତୁ ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। କାହିଁ କେଉଁ କାଳରୁ ଚାଲି ଆସିଥିବା ଏଇ
ପରମ୍ପରା ଆଜି ବି ଉଜ୍ଜୀବିତ। ପିଢ଼ି ପରେ ପିଢ଼ି ଏହାକୁ ଆଗକୁ ନେଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଗୌରିଆ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏହି ଅଦ୍ଭୁତ ଧରଣର ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଛି। ଗୌରିଅ ଜନଜାତିର ଲୋକମାନେ ନିଜ ଝିଅକୁ ବିବାହ କରିବା ପରେ ପୁଅ ଘରକୁ ବା ଜ୍ବାଇଁକୁ ୨୧ ଟି ବିଷାକ୍ତ ସାପ ଦିଅନ୍ତି। ଏହି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଗୋଟିଏ ଝିଅର ବିବାହରେ ସାପ ଦେବା ଯୋଗୁଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କକୁ ମଜବୁତ ହୋଇଥାଏ। ଯଦି ଆପଣ ଏହା ନକରନ୍ତି, ତାହାଲେ ସେ ସମ୍ପର୍କ ଭାଙ୍ଗିଯାଏ। ହେଲେ ଏହାକୁ ନେଇ ସ୍ଥାନୀୟ ଲୋକ କୁହନ୍ତି ଯେ ଝିଅର ବିବାହ ସ୍ଥିର ହେବା ପରେ ଯୌତୁକରେ ଦେବା ପାଇଁ ସାପ ଧରିବା ଆରମ୍ଭ କରି ଦିଅନ୍ତି। ଗାଁ ଲୋକେ ମିଳିମିଶି ଜଙ୍ଗଲ ଯାଆନ୍ତି ସାପ ଅନ୍ୱେଷଣ ରେ। ଖୋଜି ଖୋଜି ବିଷାକ୍ତ ସାପ ଧରନ୍ତି।
କହିବାକୁ ଗଲେ ଯେ ଗୌରିଆ ସମ୍ପ୍ରଦାୟର ଲୋକମାନେ ବୃତ୍ତି ଅନୁଯାୟୀ ସାପ ଧରାଳି ଅଟନ୍ତି। ସେମାନଙ୍କୁ ସାପ ଧରିବାକୁ ପଡିଥାଏ କାହିଁକି ନା ଏହା ତା ଜୀବିକା । ସାପକୁ ସୁରକ୍ଷିତ ରଖିବା ପାଇଁ ଏହି ସମ୍ପ୍ରଦାୟରେ ଏକ କଡା ନିୟମ ମଧ୍ୟ କରାଯାଇଛି। ସାପର ଯେମିତି କିଛି କ୍ଷତି ନ ହେବ ସେଥିପାଇଁ ସେମାନେ ସବୁବେଳେ ସଜାଗ ଥାଆନ୍ତି। ପରିବାରର ଅନ୍ୟ ସଦସ୍ୟ ଭଳି ସାପକୁ ପାଳିଥାଆନ୍ତି। ସାପର ଭଲ ଭାବେ ଯତ୍ନ ନିଅନ୍ତି।
କୁହାଯାଏ ଯେ ଯଦି ସାପଟି ସେମାନଙ୍କ ବାକ୍ସରେ ମରିଯାଏ, ତେବେ ସମଗ୍ର ପରିବାରକୁ ଲଣ୍ଡା ହେବାକୁ ପଡେ।