ଶ୍ରୀକାନ୍ତଙ୍କ ଘରବାହୁଡା: ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା !

ଭୁବନେଶ୍ୱର: କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନିର୍ବାଚନ ପୁର୍ବରୁ କଂଗ୍ରେସକୁ କମ ବ୍ୟାକ କରିଛନ୍ତି ଶ୍ରୀକାନ୍ତ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ସେହି କ୍ରମରେ ନିର୍ବାଚନ ପୂର୍ବରୁ ଘର ସଜାଡୁଛି କଂଗ୍ରେସ। ଦଳ ଛାଡିଥିବା ନେତାଙ୍କୁ ଦଳକୁ ଫେରେଇ ଅଣା ଯାଉଛି। ପୂର୍ବରୁ ପୂର୍ବତନ ମୂଖ୍ୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ କଂଗ୍ରେସକୁ ଫେରି ଆସିଛନ୍ତି। ଏବେ ବରିଷ୍ଠ ନେତା ଶ୍ରିକାନ୍ତ ଜେନା ଦଳକୁ ଫେରିବା ପରେ କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ଦଳୀୟ କର୍ମୀ କହୁଛନ୍ତି।
କୁହାଯାଉଛି ଶ୍ରୀକାନ୍ତ ଜେନା କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଥିଲେ। ୨୦୧୮ ମସିହାରେ ଦଳ ବିରୋଧୀ କାର୍ଯ୍ୟ ପାଈଁ ତାଙ୍କୁ ଦଳରୁ ବହିସ୍କାର କରାଯାଇଥିଲା। ପ୍ରତ୍ୟକ୍ଷ ରାଜନୀତିରୁ ପ୍ରାୟତଃ ସେ ଦୂରେଇ ରହିଥିଲେ। ରାଜନୀତିରେ ତାଙ୍କ ପତିଆରା ପ୍ରଭାବକୁ ବଜାୟ ରଖିବା ପାଇଁ
ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ନେଇ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଦଳକୁ ଫେରିଛନ୍ତି ଶ୍ରୀକାନ୍ତ।
କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏପରିକି ରାହୁଲ ଗାନ୍ଧି କିମ୍ବା ସୋନିଆଙ୍କ ବିରୋଧରେ ମଧ୍ୟ କିଛି କହି ନାହିଁ। ଦଳକୁ କ୍ଷତି ହେଲା ଭଳି ସେଭଳି ମନ୍ତବ୍ୟ କେବେ ଦେଇ ନାହାନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି।
ଶ୍ରୀକାନ୍ତ ଜେନା ତିନିଥର ବିଧାୟକ ଏବଂ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗୁଜୁରାଲ, ଦେବଗୈଡା ଏବଂ ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ବ ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ପର୍ଯ୍ୟଟନ, ସାର ଓ ରସାୟନ, କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ସେ ଏକଦା ବିଜୁବାବୁଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ।
୨୦୧୯ରେ ବିଏସପିରେ ଯୋଗ ଦେଇଥିଲେ। ତେବେ ଆଗମୀ ନିର୍ବାଚନରେ ଶ୍ରୀକାନ୍ତ କେଉଁ ଭୂମିକାରେ ନଜର ଆସିବ ତାହା ସମୟ କହିବା। ପୂର୍ବରୁ ବାଲେଶ୍ଵରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀକାନ୍ତ ପୁଣି ଥରେ ସେହି ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।