ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ, ଜେରା ବେଳେ ଗୁରୁତ୍ୱପୂର୍ଣ୍ଣ ଖୁଲାସା

ପୋଲିସ୍ ଛାଡ଼ିଥିଲା ଇଡି ଧରିଲା । ଅର୍ଚ୍ଚନା ନାଗ ମାମଲାର ଅନ୍ୟ କାର୍ପଟଦାର ଖଗେଶ୍ୱର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗେଶ୍ୱର । ଏପରିକି ୫ଟି ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଇଡି ଅଧିକାରୀ ଜାଣିବାକୁ ପାଇଛନ୍ତି ।
ସାମ୍ନାକୁ ଆସିଲା ନାଗଫାଶର ଆଉ ଏକ କାର୍ପଟଦାର । ଲେଡି ବ୍ଲାକମେଲର ତଥା ହନିଟ୍ରାପ କ୍ୱିନ ଅର୍ଚ୍ଚନା ନାଗର ମୁଖ୍ୟ ସହଯୋଗୀ ଖଗେଶ୍ୱର ପାତ୍ରର ଚେହେରା ଏବେ ପଦାକୁ ଆସିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ବହୁ ବଡ଼ୁବଡ଼ୁଆଙ୍କ ନିଦ ଉଡ଼ାଇ ଦେଇଛି । ୨୦ ଘଣ୍ଟାର ମାରାଥନ ଜେରା ପରେ ଖଗେଶ୍ୱର ଉଗାଳିଛି ବିସ୍ଫୋରକ ତଥ୍ୟ ।
ଖଗେଶ୍ୱର ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ ନେଣଦେଣ ବାବଦରେ ଗୋଟି ଗୋଟି କରି ତଦନ୍ତକାରୀ ଅଫିସରଙ୍କ ଆଗରେ କହିଛି । ଖଗେଶ୍ୱରର ମିଛସତ ଉତ୍ତର ଭିତରୁ ଇଡି ହାତରେ ଲାଗିଛି ୫ଟି ଆକାଉଣ୍ଟରେ ହୋଇଥିବା ୫୦ ଲକ୍ଷର ଟ୍ରାଞ୍ଜାକସନର ପ୍ରମାଣ । ଏହି ୫୦ ଲକ୍ଷ ଟଙ୍କା ବ୍ଲାକମେଲର ଅର୍ଚ୍ଚନା, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ଭିତରେ ବିଭିନ୍ନ ସମୟରେ ନେଣଦେଣ ହୋଇଛି । ଏପରିକି ପ୍ରତିଟି ଟ୍ରାଞ୍ଜାକସନ ଲକ୍ଷାଧିକ ଟଙ୍କାର ରହିଥିଲା ।