thelifelinemedia
Latest Odisha News, Breaking News Today

କୋହଲିଙ୍କ ପରେ ଏବେ ରୋହିତ ଶର୍ମା ଭାରତକୁ ଦେଇ ପାରିଲେ ନାହିଁ ଟାଇଟଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଟି-୨୦ ବିଶ୍ଵ କପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା। ମାତ୍ର ସେମି ଫାଇନାଲ୍‌ରେ ଇଂଲଣ୍ଡ ଏକତରଫା ଭାବେ  ହରାଇ ଭାରତର ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ କରିଛି। ୨୦୧୪ ପରେ ସପ୍ତମ ଥର ଭାରତୀୟ ଦଳ ନକଆଉଟ୍‌ ମୁକାବିଲାରେ ପରାସ୍ତ ହୋଇଛି।

ଭାରତୀୟ ଦଳ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିବା ପରେ ୨୦୧୪ ବିଶ୍ଵ କପ୍‌ରେ କ୍ରିକେଟ୍‌ର ଏହି ଛୋଟ ଫର୍ମାଟରେ ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ଦଳ ଶ୍ରୀଲଙ୍କା ହାତରୁ ପରାଜିତ ହୋଇଥିଲା। ୨୦୧୬ରେ ମଧ୍ୟ ଦଳ ସେମି ଫାଇନାଲ୍‌ ପହଞ୍ଚିଥିଲା। ମାତ୍ର ସେମିରେ ଓ୍ଵେଷ୍ଟଇଣ୍ଡିଜ ହାତରୁ ପରାଜୟର ମୁହଁ ଦେଖିବାକୁ  ପଡିଥିଲା। ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍ ୨୦୨୧ରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଥିଲା। ମାତ୍ର ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌ରେ ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ହେଲେ ଏଠାରେ ମଧ୍ୟ ଦଳ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି।

୨୦୧୪ ଟି-୨୦ ବିଶ୍ଵ କପ୍ ପରେ ୨୦୧୫ରେ ଖେଳାଯାଇଥିବା ଦିନିକିଆ ବିଶ୍ଵ କପ୍‌ରେ ଭାରତକୁ ସେମି ଫାଇନାଲ୍‌ରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ପୁଣି ୨୦୧୬ ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ପରାଜୟ ପରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ହାରିଥିଲା। ଏହା ପରେ ବିରାଟ କୋହଲିଙ୍କ ନେତୃତ୍ଵରେ ୨୦୧୯ରେ ଦିନିକିଆ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡ ହାତରୁ ହାରି ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଥିଲା। ପୁଣି ୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧ର ଫାଇନାଲ୍‌ରେ ବି ଭାରତୀୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ଆଉ ଏବେ ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ଵ ନେଇଥିବା ରୋହିତ ଶର୍ମାଙ୍କ ଦଳର ଯାତ୍ରା ବି ସେମି ଫାଇନାଲ୍‌ରେ ସମାପ୍ତ ହୋଇଛି।

ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ଵରେ ଟି-୨୦ ବିଶ୍ଵ କପ୍ ୨୦୨୧ର ଗ୍ରୁପ ପର୍ଯ୍ୟାୟରୁ ଭାରତୀ୍ୟ ବାଦ୍ ପଡିଥିଲା। କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳର ଆଇସିସି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ରହିଛି, ମାତ୍ର ଦଳ ସବୁ ଥର ନକଆଉଟ୍‌ରେ ଝୁଣ୍ଟୁଛି।

Leave A Reply

Your email address will not be published.