କେନ୍ଦ୍ର ଏବଂ ନିର୍ବାଚନ କମିଶନ୍ଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଗୁରୁତର ଅପରାଧରେ ଜଡ଼ିତ ଦେବାଳିଆ ବ୍ୟକ୍ତି ଲଢ଼ିପାରିବେ ନିର୍ବାଚନ । କେନ୍ଦ୍ର ଏବଂ ଇଲେକ୍ସନ କମିଶନ୍ଙ୍କୁ ସୁପ୍ରିମ୍କୋର୍ଟ ଏନେଇ ନୋଟିସ୍ ଜାରି କରିଛନ୍ତି । ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଜନହିତକର ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ କେମ୍ ଜୋସେଫ୍ ଏବଂ ଜଷ୍ଟିସ୍ ହୃଷିକେଶ ରୟ ମାମଲାର ବିଚାର କରି ଆଇନ୍ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ନିର୍ବାଚନ ମନ୍ତ୍ରଣାଳୟକୁ ନୋଟିସ୍ କରିଛନ୍ତି ।
ପୂର୍ବରୁ ତଳ କୋର୍ଟ ଦେଇଥିବା ରାୟକୁ ଆଇନ୍ ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନ୍ ଲାଗୁ କରିବାରେ ହେଳା କରିଥିବା ଏବଂ କୌଣସି ପଦକ୍ଷେପ ନେଇନଥିବା ଆଇନଜୀବୀ ଦାଏର କରିଥିବା ମାମଲାରେ ଦର୍ଶାଇ ଥିଲେ। ତେବେ ଏହି ମାମଲାର ଗୁରୁତ୍ୱ ଏବେକାର ନିର୍ବାଚିତଙ୍କ ପାଇଁ ରହିଛି । ୨୦୧୯ ନିର୍ବାଚନ ଅନୁସାରେ ୫୩୯ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ ୪୩ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।