ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ନାହିଁ ଦୁଷ୍କର୍ମ ପ୍ରମାଣ !

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ। ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା। ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଙ୍କିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ମିଳି ନାହିଁ। ତେବେ ହତ୍ୟା ଅଭିଯୋଗରେ ତଦନ୍ତ ଚାଲିିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି।
ଖବର ଅନୁସାରେ, ଅଙ୍କିତାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ଆଙ୍ଗୁଳି, ହାତ ଓ ବେକରେ ଦାଗ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସନ୍ଦେହ ବଢ଼ିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ହେଲେ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ନଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ରିପୋର୍ଟକୁ ସାର୍ବଜନିନ କରାଯାଇ ନାହିଁ।
ଉତ୍ତରାଖଣ୍ଡ ବିଜେପି ନେତା ବିନୋଦ ଆର୍ଯ୍ୟାଙ୍କ ପୁଅ ପୁଲକିତ ଆର୍ଯ୍ୟା ଋଷିକେଶରେ ଚଳାଉଥିବା ଏକ ରିଜର୍ଟ(ଅବସର ସମୟ କାଟିବା ପାଇଁ ହୋଟେଲ୍ ଭଳି ଏକ ସ୍ଥାନ)ରେ ୧୯ ବର୍ଷୀୟା ଅଙ୍କିତା ରିସେପ୍ସନିଷ୍ଟ ଭାବରେ କାମ କରୁଥିଲେ। ସୂଚନା ଆନୁସାରେ, ଅଙ୍କିତାଙ୍କୁ ରିଜର୍ଟରେ ଆସିଥିବା ଗେଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ସେବା(ବେଶ୍ୟାବୃତ୍ତି) ଯୋଗାଇବାକୁ ବାଧ୍ୟ କରାଯାଇଥିଲା। ହେଲେ ସେ ରାଜି ନ ହେବାରୁ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରି କେନାଲ୍ରେ ପିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା।