ବାତ୍ୟା ଅକଭାନ୍ ପାଇଁ ଓଡ଼ିଶାକୁ ବର୍ଷା ଭୟ!
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଉପକୂଳ ନିକଟତର ହେଉଥିବା ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆଜି ଓ ଆସନ୍ତାକାଲି ପାଇଁ ଅନେକ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ଭୀଷଣ ବର୍ଷା ଆଶଙ୍କାରେ ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ସେହିପରି ଅତି ପ୍ରବଳ ବର୍ଷା ଆଶଙ୍କାରେ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।