ଦିଲ୍ଲୀ ସରକାରଙ୍କ ନୂଆ ବ୍ୟବସ୍ଥା:ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଉ ବାଧ୍ୟତାମୂଳକ ହେବନାହିଁ ଆଧାର କାର୍ଡ
ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାର ସୁବିଧା ଯେପରି କେବଳ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା। ଅନେକ ସମୟରେ ଜଣେ ବ୍ୟକ୍ତି ବିଭିନ୍ନ ଯୋଜନାରେ ଏକାଧିକ ଥର ନାମ ପଞ୍ଜୀକରଣ କରି ଅନୁଚିତ ଲାଭ ଉଠାଉଥିବା ଅଭିଯୋଗ ହୁଏ
ନୂଆଦିଲ୍ଲୀ:ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଉ ବାଧ୍ୟତାମୂଳକ ହେବନାହିଁ ଆଧାର କାର୍ଡ। ଏଣିକି ଆଧାର କାର୍ଡ ନଥିଲେ ମଧ୍ୟ ଦିଲ୍ଲୀର ନାଗରିକମାନେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ୟୁନିଫାଏଡ୍ ସିଟିଜେନ୍ ଡାଟା ପ୍ଲାଟଫର୍ମକୁ ଆନୁଷ୍ଠାନିକ ମଞ୍ଜୁରି ମିଳିଛି। ଏହାଦ୍ୱାରା ସରକାରୀ ଯୋଜନାର ହିତାଧିକାରୀଙ୍କ ସମସ୍ତ ତଥ୍ୟ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।
ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାର ସୁବିଧା ଯେପରି କେବଳ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା। ଅନେକ ସମୟରେ ଜଣେ ବ୍ୟକ୍ତି ବିଭିନ୍ନ ଯୋଜନାରେ ଏକାଧିକ ଥର ନାମ ପଞ୍ଜୀକରଣ କରି ଅନୁଚିତ ଲାଭ ଉଠାଉଥିବା ଅଭିଯୋଗ ହୁଏ। ଏଭଳି ନକଲି ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସରକାରୀ ସହାୟତାର ଅପବ୍ୟବହାର ରୋକିବାରେ ଏହି ପ୍ଲାଟଫର୍ମ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।ଏହି ଡିଜିଟାଲ୍ ବ୍ୟବସ୍ଥାରେ ଆଧାର କାର୍ଡର ବ୍ୟବହାର ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ। ଅର୍ଥାତ୍ ନାଗରିକଙ୍କ ଅନୁମତି ବିନା ଆଧାର ଜରିଆରେ ପରିଚୟ ଯାଞ୍ଚ କରାଯାଇପାରିବ ନାହିଁ।