ମଧୁବାବୁ ପେନସନ ଯୋଜନାରେ ଯୋଡି ହେଲେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି
ଭୁବନେଶ୍ୱର: ଆଜି ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜି ଠାରୁ ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।” ଆଜି ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ତଥା UPMP ପୋର୍ଟାଲ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି।
ଚଳିତ ବର୍ଷ ବଜେଟ୍ ପ୍ରତିଶୃତି ଅନୁଯାୟୀ ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା ଫଳରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣ ସାଚୁରେଶନ ବା ସମ୍ପୂର୍ଣ୍ଣତା ହାସଲ କରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ଲକ୍ଷ ଅଧିକ ହିତାଧିକାରୀଙ୍କ ପାଇଁ ବର୍ଷକୁ ମାତ୍ର ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ୫୦୦-୬୦୦ କୋଟି ଟଙ୍କା ପାଇଁ ଆମର ଗୁରୁଜନମାନଙ୍କୁ ହନ୍ତସନ୍ତ କରିବା କୌଣସି ଦୃଷ୍ଟିରୁ ଶୋଭନୀୟ ନୁହେଁ ବୋଲି ସେ କହିଥିଲେ । ତେଣୁ, ବୟୋଜ୍ୟେଷ୍ଠଙ୍କ କଲ୍ୟାଣ ପାଇଁ ଏହି ପରିମାଣ ଆମ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ‘Unified Pension Management Portal’ (UPMP) ପୋର୍ଟାଲ ଉନ୍ମୋଚିତ କରିଥିଲେ । ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।
ଆବେଦନ କରିଥିବା ପର ମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେଲେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।