ବାଙ୍କୀର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା, ଷୋଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ଜାଣନ୍ତୁ ମାଙ୍କ ମହିମା
ଇତିହାସ ଅନୁସାରେ ବାଙ୍କୀ ଏକ ପୁରୁଣା ଗଡ଼ଜାତ ଅଞ୍ଚଳ ଥିଲା ଏବଂ ଓଡ଼ିଶାର ଶାକ୍ତ ପରମ୍ପରାରେ ଚର୍ଚ୍ଚିକା ପୀଠର ଗୁରୁତ୍ୱ ଦୀର୍ଘଦିନରୁ ରହି ଆସିଛି । ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଅନେକ କିମ୍ବଦନ୍ତୀ
ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ। ବାଙ୍କୀର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା ଚାଲିଛି। ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରତିଦିନ ଜମୁଛି।ତେବେ କେତେ ପୁରୁଣା ଏହି ପୀଠ? କେବେଠାରୁ ଏଠାରେ ପୂଜା ପାଉଛନ୍ତି ମା’? ମା’ଙ୍କ ଆବିର୍ଭାବକୁ ନେଇ କ’ଣ ରହିଛି କିମ୍ବଦନ୍ତୀ? ଆଉ କାହିଁକି ଶାରଦୀୟ ଷୋଡ଼ଶ ପୂଜାରେ ଏହି ପୀଠ ପାଲଟିଯାଏ ଭକ୍ତିର ମହାସମାଗମରେ? ଚାଲନ୍ତୁ ଜାଣିବା, ବାଙ୍କୀର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କ ଇତିହାସ ।
ବାଙ୍କୀର ରୁଚିକ ପର୍ବତର ପାଦଦେଶରେ ବହିଯାଉଛି ରେଣୁକା ନଦୀ ।ଏହି ପବିତ୍ର ପରିବେଶରେ ଅବସ୍ଥିତ ମା’ ଚର୍ଚ୍ଚିକାଙ୍କ ପୀଠ । ଇତିହାସ ଅନୁସାରେ ବାଙ୍କୀ ଏକ ପୁରୁଣା ଗଡ଼ଜାତ ଅଞ୍ଚଳ ଥିଲା ଏବଂ ଓଡ଼ିଶାର ଶାକ୍ତ ପରମ୍ପରାରେ ଚର୍ଚ୍ଚିକା ପୀଠର ଗୁରୁତ୍ୱ ଦୀର୍ଘଦିନରୁ ରହି ଆସିଛି । ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ପ୍ରଚଳିତ ଲୋକକଥା ଅନୁଯାୟୀ, ମହିଷାସୁରର ବଧ ପରେ ତା’ର ଅନୁଗାମୀ ରଣାସୁର ଅତ୍ୟାଚାର ଆରମ୍ଭ କରିଥିଲା । ତା’ର ଅତ୍ୟାଚାରରୁ ମୁକ୍ତି ପାଇଁ ଦେବୀଙ୍କ ଏକ ଉଗ୍ର ରୂପ ଚର୍ଚ୍ଚିକାଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି । କିମ୍ବଦନ୍ତୀ କହେ, ରଣାସୁରର ବଧ ପରେ ମା’ ରୁଚିକ ପର୍ବତରେ ଅଧିଷ୍ଠିତ ହୋଇଥିଲେ। କୁହାଯାଏ, ପର୍ଶୁରାମ ରୁଚିକ ପର୍ବତରେ ଅବସ୍ଥାନ କରିବା ସମୟରେ ମା’ ଚର୍ଚ୍ଚିକାଙ୍କ ଆରାଧନା କରୁଥିଲେ ।