ଅଶୋଧିତ ତୈଳ ଦରରେ ବୃଦ୍ଧି, ମଧ୍ୟପ୍ରାଚ୍ୟ ଉତ୍ତେଜନା ଜାରି,ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍କ୍ସେସ ୭୧୫ ପଏଣ୍ଟ ହ୍ରାସ ପାଇ ୭୬,୭୫୫ ପଏଣ୍ଟରେ ବନ୍ଦ
ଇରାନ ଉପରେ ଆମେରିକା ଆକ୍ରମଣ ଜାରି ରଖିଥିବାରୁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଛି। ସେଥିପାଇଁ ତୈଳ ଦର ବଢ଼ୁଛି
ବ୍ୟୁରୋ: ଅଶୋଧିତ ତୈଳ ଦର ବୃଦ୍ଧି, ମଧ୍ୟପ୍ରାଚ୍ୟ ଉତ୍ତେଜନା ଆଦି ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍କ୍ସେସ ଆଜି ୭୧୫ ପଏଣ୍ଟ ହ୍ରାସ ପାଇ ୭୬,୭୫୫ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୯୧.୪୫ ପଏଣ୍ଟ ହ୍ରାସ ପାଇ ୨୩,୯୯୬.୨୫ ପଏଣ୍ଟରେ ବନ୍ଦ ହୋଇଛି। ଲଗାତାର ତୃତୀୟ ଦିନ ପାଇଁ ଉଭୟ ସେନ୍ସେକ୍ସ ଓ ନିଫ୍ଟି ହ୍ରାସ ପାଇଛି। ଆଜି ନିବେଶକମାନେ ବ୍ୟାଙ୍କ, ସୂଚନା ପ୍ରଯୁକ୍ତି ଓ ଫାର୍ମା କମ୍ପାନିର ସେୟାର ଅଧିକ ବିକିଥିଲେ ଏବଂ ଏଫ୍ଏମ୍ସିଜି ଓ ଅଟୋମୋବାଇଲ୍ କମ୍ପାନିର ସେୟାର କିଣିଥିଲେ।
ବ୍ରେଣ୍ଟ କ୍ରୁଡ୍ ଦାମ ବ୍ୟାରେଲକୁ ୯୪.୮୬ ଡଲାର ଓ ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମେଡିଆରିଜ୍ର ଦାମ୍ ୮୮.୦୪ ଡଲାରକୁ ବୃଦ୍ଧି ପାଇବାରୁ ନିବେଶକମାନେ ବେଶ ଚିନ୍ତି ହୋଇପଡ଼ିଛନ୍ତି। ଇରାନ ଉପରେ ଆମେରିକା ଆକ୍ରମଣ ଜାରି ରଖିଥିବାରୁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଛି। ସେଥିପାଇଁ ତୈଳ ଦର ବଢ଼ୁଛି। ବମ୍ବେ ଷ୍ଟକ୍ ବଜାରରେ ଇନ୍ଫୋସିସ୍, ଇଣ୍ଡିଗୋ, ଏସ୍ବିଆଇ, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଆଦାନୀ ପୋର୍ଟସ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ସେହି ସମୟରେ କିନ୍ତୁ ହିନ୍ଦୁସ୍ତାନ ୟୁନିଲିଭର, ଏନ୍ଟିପିସି, ପାୱାର ଗ୍ରିଡ୍, ଟାଇଟାନ୍, ଏସିଆନ୍ ପେଣ୍ଟ୍ସ ଓ ଭାରତୀ ଏୟାରଟେଲ୍ ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିଲା।