ଋଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଉଛି ପାକିସ୍ତାନ

ମସ୍କୋ ୨୫।୯: ଋଷିଆ-ୟୁକ୍ରେନ ସଂଘର୍ଷକୁ ୭ ମାସ ହେଲାଣି। ନା ୟୁକ୍ରେନ ଝୁକୁଛି ନା ଋଷିଆ ହାର ମାନିବାକୁ ପ୍ରସ୍ତୁତ। ଉଭୟ ଦେଶଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବେ ଶେଷ ହେବା ଉପରେ। ତେବେ ମିତ୍ର ଦେଶଙ୍କ ସୈନ୍ୟ ସହାୟତା ବଳରେ ଚାଲିଥିବା ଯୁଦ୍ଧ ଏବେବି ଜାରି ରହିଛି। କିଛି ଦିନ ପୂର୍ବେ ଏକ ରିପୋର୍ଟରେ ନାଟୋ ଦେଶଙ୍କ ବ୍ୟତୀତ ପାକିସ୍ତାନ ମଧ୍ୟ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଉଥିବାର କୁହାଯାଇଥିଲା।
ପାକିସ୍ତାନ ସେନାର ମାଲବାହୀ ବିମାନଙ୍କୁ ୟୁକ୍ରେନ ପଡୋଶୀ ରୋମାନିଆରେ ଓହ୍ଲାଇଥିବାର ମଧ୍ୟ ଦେଖା ଯାଇଥିଲା। ଏହି ସବୁ ଦାବିକୁ ନେଇ ଏବେ ଋଷିଆ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ସବୁ ଦାବିରେ ଯଦି ସାମାନ୍ୟ ସତ୍ୟତା ଥାଏ ତେବେ ପାକିସ୍ତାନ ସହ ସମ୍ପର୍କରେ ବଡ ପ୍ରଭାବ ପଡିବା ନିଶ୍ଚିତ ବୋଲି ଋଷିଆ ଚେତାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ୱିପନ ଟ୍ରାକର ନାମରେ ଏକ ଟ୍ୱିଟର ଆକାଉଣ୍ଟ ପାକିସ୍ତାନ ଅସ୍ତ୍ର ପଠେଇଥିବାର ଦାବି କରିଥିଲା।
ଏଥିରେ ପାକିସ୍ତାନ ଅସ୍ତ୍ରଶସ୍ତ୍ରର ଫଟୋ ବି ଆସିଥିଲା। ପାକିସ୍ତାନ ଅର୍ଡାନ୍ସ ଫ୍ୟାକ୍ଟ୍ରିରେ ନିର୍ମିତ ୧୨୨ ଏମଏମ ଏଚ୍ଇ ଆର୍ଟିଲାରୀ ଗୋଳା ମଧ୍ୟ ଦେଖା ଯାଇଥିଲା। କୁହାଯାଉଛି ପାକିସ୍ତାନ ଅସ୍ତ୍ରଶସ୍ତ୍ର ସିଧା ୟୁକ୍ରେନ ନ ପଠାଇ ପଡୋଶୀ ରୋମାନିଆ ପହଞ୍ଚାଇଥିଲା। ସେଠାରୁ ୟୁକ୍ରେନକୁ ଟ୍ରାନ୍ସପୋର୍ଟ ହେଉଥିଲା। ସେହିପରି ୟୁକ୍ରେନକୁ ଅସ୍ତ୍ର ପଠାଇବାର ଡିଲ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବ୍ରିଟେନ ଗସ୍ତକାଳରେ ହୋଇଥିଲା। ରୋମାନିଆର ଯେଉଁ ବିମାନ ଘାଟିରେ ପାକିସ୍ତାନ ବିମାନ ଅବତରଣ କରୁଥିଲା ତାହା ବ୍ରିଟେନ ନିୟନ୍ତ୍ରଣରେ ଅଛି।