ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୁରଣ ଦାବିରେ ରାଜପଥରେ ୪ଘଣ୍ଟା ଶବ ପଡ଼ିରହିଲା
୨ଟି ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି
ରାୟଗଡ଼ା/କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ଏବଂ କଲ୍ୟାଣସିଂହପୁର ବ୍ଲକରେ ହୋଇଥିବା ୨ଟି ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଗୁଣପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଓ ଆହତ ସମସ୍ତ ଗୁଣପୁର ସହର ବାସିନ୍ଦା ଅଟନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ଗୁଣପୁର ସହରର ପୁରୁଣା ପୋଷ୍ଟ ଅଫିସ ସାହିର ବାଇକ ମେକାନିକ୍ ଚିନ୍ତାଡା ରମେଶ ବୋଲି ଜଣା ପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଗୁଣପୁର ସହର ଶିବାନନ୍ଦ ଢେପ ସାହିର ଏକ ଦମ୍ପତି ପୂଲୁଗୁମି ନିକଟସ୍ଥ ବନ ଦୁର୍ଗା ମନ୍ଦିର ଦର୍ଶନକୁ ଯାଇ ଫେରିବା ସମୟରେ ଚୈତନ୍ୟଗୁଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ରମେଶ ନାମକ ଜଣେ ଯୁବକକୁ ଡାକ୍ତର ମୃତ ଘୋଷଣା କରିଥିଲେ।