କେରଳରେ ପୁଣି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨୦ଦିନରେ ୪ ଶ୍ରମିକଙ୍କ ମୃତ୍ୟୁ
କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ର ଶ୍ରମିକଙ୍କ ମଧ୍ୟରୁ ଗତ ୨୨ଦିନ ମଧ୍ୟରେ ଚାରିଜଣଙ୍କ ବିଭିନ୍ନ ଘଟଣାରେ ମୃତ୍ୟୁ ହୋଇଛି
ରାୟଗଡ଼ା:କେରଳ ରାଜ୍ୟରଏକ କ୍ରସରରେ କାମ କରୁଥିବା ରାୟଗଡ଼ାଜିଲ୍ଲା କାଶୀପୁର ବ୍ଲକ୍ର ଝାକରା ମାଝୀ(୫୫)ଙ୍କ ଗତକାଲି(ରବିବାର) ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୨୨ ଦିନ ମଧ୍ୟରେ ବ୍ଲକ୍ର ୪ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାରେ, ସ୍ଥାନୀୟ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ତଳପତ୍ରୀ ଗ୍ରାମର ଝାକରା ମାଝୀ କେରଳ ରାଜ୍ୟର ପାଟିଗଡ଼ ସ୍ଥିତ ଏକ କ୍ରସର ୟୁନିଟ କାମ କରୁଥିଲେ। କାମରୁ ଲେବର କ୍ୟାମ୍ପକୁ ଫେରୁଥିବା ସମୟରେ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ,କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ର ଶ୍ରମିକଙ୍କ ମଧ୍ୟରୁ ଗତ ୨୨ଦିନ ମଧ୍ୟରେ ଚାରିଜଣଙ୍କ ବିଭିନ୍ନ ଘଟଣାରେ ମୃତ୍ୟୁ ହୋଇଛି ।କାଶୀପୁର ବ୍ଲକର ବହୁଜଣ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । କିନ୍ତୁ ପ୍ରଶାସନ ନିକଟରେ ଏହାର ତଥ୍ୟ ରହୁ ନାହିଁ । ଶ୍ରମିକ ପଞ୍ଜୀକରଣ ନେଇ ଶ୍ରମ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତକୁ ଦାୟିତ୍ବ ଦେଇ ନିରବ ରହିଥିବା ଜଣା ଯାଇଛି ।