ଟେନିସ ରାଣୀ ସେରେନାଙ୍କ ଚମତ୍କାର ପ୍ରତ୍ୟାବର୍ତ୍ତନ: ୧୯୩ କିମି ବେଗରେ କଲେ ସର୍ଭିସ
ଆମେରିକା ଟେନିସ୍ ରାଣୀଙ୍କ ପ୍ରତ୍ୟାବର୍ତ୍ତନ ବି ପ୍ରଭାବଶାଳୀ ରହିଛି। ଲଣ୍ଡନର କୁଇନ୍ସ କ୍ଲବ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୪ ବର୍ଷୀୟା ୱିଲିୟମ୍ସ ମହିଳା ଯୁଗଳରେ କାନାଡ଼ାର ୧୯ ବର୍ଷୀୟ ଉଦୀୟମାନ ତାରକା ଭିକ୍ଟୋରିଆ ଏମ୍ବୋକୋଙ୍କୁ ସାଥୀ କରି ଖେଳିଥିଲେ
ବ୍ୟୁରୋ: ପ୍ରାୟ ୪ ବର୍ଷ ପରେ ପେସାଦାର ଟେନିସ୍ କୋର୍ଟକୁ ଓହ୍ଲାଇଛନ୍ତି ୨୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ସେରେନା ୱିଲିୟମ୍ସ। ଏହି ଆମେରିକା ଟେନିସ୍ ରାଣୀଙ୍କ ପ୍ରତ୍ୟାବର୍ତ୍ତନ ବି ପ୍ରଭାବଶାଳୀ ରହିଛି। ଲଣ୍ଡନର କୁଇନ୍ସ କ୍ଲବ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୪ ବର୍ଷୀୟା ୱିଲିୟମ୍ସ ମହିଳା ଯୁଗଳରେ କାନାଡ଼ାର ୧୯ ବର୍ଷୀୟ ଉଦୀୟମାନ ତାରକା ଭିକ୍ଟୋରିଆ ଏମ୍ବୋକୋଙ୍କୁ ସାଥୀ କରି ଖେଳିଥିଲେ। ଏହି ମ୍ୟାଚ୍ରେ ୱିଲିୟମ୍ସଙ୍କ ଘଣ୍ଟାପ୍ରତି ୧୨୦ ମାଇଲ୍ (ପ୍ରାୟ ୧୯୩ କିମି) ବେଗ ସର୍ଭିସ ସମସ୍ତଙ୍କୁ ଚକିତ କରି ଦେଇଥିଲା। ସେ ଏବେ ବି ତାଙ୍କ ଟ୍ରେଡ୍ମାର୍କ ଶକ୍ତି ହରାଇ ନାହାନ୍ତି ବୋଲି ପ୍ରମାଣ କରି ଦେଇଛନ୍ତି।
ସେରେନାଙ୍କ ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ସେରେନା ଓ ଏମ୍ବୋକୋ ଯୋଡ଼ି ୭-୬, ୬-୨ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ନିକୋଲ ମେଲିଚର ମାର୍ଟିନେଜ୍ ଓ ଏରିନ୍ ରୁଟ୍ଲିଫ୍ଙ୍କୁ ପରାସ୍ତ କରିଥିଲେ। ୨୦୨୨ ୟୁଏସ୍ ଓପନ୍ ପରେ ଏହି ପ୍ରଥମ ବ୍ୟତ୍ତିଗତ ମ୍ୟାଚ୍ ପରେ ଖୁସିରେ ନାଚି ଉଠିଥିଲେ। ବିଜୟ ପରେ ସେ କହିଥିଲେ, ଭିକ୍ଟୋରିଆଙ୍କ ସହ ଖେଳି ବହୁତ ଖୁସି। ସେ ଭଲ ଭାବେ ମୋ ସହିତ ତାଳ ଦେଇ ଖେଳିଥିଲେ ଏବଂ ପଏଣ୍ଟ୍ ବି ଅର୍ଜନ କରିବାରେ ବଡ଼ ଯୋଗଦାନ ରଖିଥିଲେ। ତାଙ୍କ ଉପରେ ମୁଁ ବି ଭରସା କରିଥିଲି। ପୂର୍ବରୁ ଆମେ କେବେ ଏକାଠି ଖେଳିନୁ, ହେଲେ ଏହି ମ୍ୟାଚ୍ରେ ଆମର ତାଳମେଳ ଭଲ ରହିଥିଲା। ଗତ ସପ୍ତାହରେ ଯୁଗଳ ମ୍ୟାଚ୍କୁ ଫେରିବେ ବୋଲି ସେରେନା ଘୋଷଣା କରିଥିଲେ। ହେଲେ ଏକକ ମ୍ୟାଚ୍ ନେଇ କୌଣସି ସ୍ପଷ୍ଟ କରି ନାହାନ୍ତି।