ଓସିଏସ୍ ପ୍ରିଲିମ୍ସରେ ତଞ୍ଚକତା: ମୋବାଇଲ୍ ଓ ଇଅର୍ଫୋନ୍ ବ୍ୟବହାର, ୪ ଗିରଫ
ଅନ୍ତବସ୍ତ୍ର ଭିତରେ ମୋବାଇଲ୍ ଲୁଚାଇ ଆଣିବା ସହିତ ଇଅର୍ଫୋନ୍ ବ୍ୟବହାର କରୁଥିବା ବେଳେ ଉକ୍ତ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି। ତାଙ୍କୁ ଏଭଳି କାମରେ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ଧରିବା ପରେ ମର୍କତନଗର ଥାନା ପୁଲିସର ଜିମା ଦିଆଯାଇଛି
କଟକ:କଟକ ସିଡିଏରେ ଏକ ଘରୋଇ କଲେଜରେ ଓସିଏସ୍ ପ୍ରିଲିମ୍ସ ପରୀକ୍ଷା ଚାଲୁଥିବା ବେଳେ ଜଣେ ପ୍ରାର୍ଥୀଙ୍କ ତଞ୍ଚକତା ଧରାପଡ଼ିଛି। ଅନ୍ତବସ୍ତ୍ର ଭିତରେ ମୋବାଇଲ୍ ଲୁଚାଇ ଆଣିବା ସହିତ ଇଅର୍ଫୋନ୍ ବ୍ୟବହାର କରୁଥିବା ବେଳେ ଉକ୍ତ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି। ତାଙ୍କୁ ଏଭଳି କାମରେ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ଧରିବା ପରେ ମର୍କତନଗର ଥାନା ପୁଲିସର ଜିମା ଦିଆଯାଇଛି। ଏହି ଘଟଣାକୁ ନେଇ ଓପିଏସ୍ସି ପକ୍ଷରୁ ସଂପୃକ୍ତ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାରୁ ବାଦ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଓଡ଼ିଶା ସିଭିଲ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ରବିବାର ବିଭିନ୍ନ ସ୍ଥାନରେ ହେଉଥିବା ବେଳେ କଟକରେ ସିଡିଏର ଏକ ଘରୋଇ ଇଂଜିନିୟରିଂ କଲେଜରେ ପରୀକ୍ଷା ହେଉଥିଲା। ତେବେ ପରୀକ୍ଷା ହଲ୍ରେ ଅବିନାଶ ରାଉତ ନାମକ ପ୍ରାର୍ଥୀ ଅନ୍ତଃବସ୍ତ୍ରରେ ମୋବାଇଲ୍ ଫୋନ୍ ରଖିଥିଲେ। ଏହା ସହିତ କାନ୍ରେ ଇଅରଫୋନ୍ ଲଗାଇଥିଲେ। ସିଡିଏ ଓ ବାଦାମବାଡ଼ି ଅଞ୍ଚଳରେ ତାଙ୍କର ସହଯୋଗୀ ସୌମ୍ୟରଂଜନ ସାହୁ, ଆଲେକ୍ସ, ରୂପେଶ ଛକି ରହିଥିଲେ। ପରୀକ୍ଷାକେନ୍ଦ୍ରରେ ଅବିନାଶ ପ୍ରଶ୍ନଗୁଡ଼ିକୁ ବଡ଼ ପାଟିରେ ପଢୁଥିଲେ।