ମହିଳା ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା: ଦଳକୁ ଫେରିଲେ ରାଧା ଓ ୟାସ୍ତିକା, ଜୁନ୍ 14 ରେ ପାକିସ୍ତାନ ସହ ପ୍ରଥମ ମ୍ୟାଚ୍
ସବୁଠୁ ରୋଚକ ହେବ ଜୁନ୍ 14ରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚ । ପାକିସ୍ତାନ ବିପକ୍ଷ ହାଇ ଭୋଲ୍ଟେଜ ମ୍ୟାଚ ଖେଳି ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମହିଳା ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ପୁରା ତୟାର ହରମନପ୍ରୀତ ଆଣ୍ଡ କୋ। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ହରମନପ୍ରୀତଙ୍କ ନେତୃତ୍ୱରେ 15 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଗତବର୍ଷ ଦିନିକିଆ ବିଶ୍ୱକପ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ, ଏଥର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ନିଜର ପ୍ରଥମ ଟି-୨୦ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ବୋଲିଂ ଅଲରାଉଣ୍ଡର୍ ରାଧା ଯାଦବ ଏବଂ ୱିକେଟ୍ ରକ୍ଷକ ବ୍ୟାଟର୍ ୟାସ୍ତିକା ଭାଟିଆ ଦଳକୁ ଫେରିଥିଲା ବେଳେ ଆହତ କାରଣରୁ କାଶ୍ଭୀ ଗୌତମ ଓ ଅମନଜ୍ୟୋତ କୌର ଦଳରୁ ବାଦ୍ ପଡ଼ିଛନ୍ତି। ପ୍ରାୟ ୨ ବର୍ଷର ବ୍ୟବଧାନ ଏବଂ ଆହତ ସମସ୍ୟା ପରେ ୟାସ୍ତିକା ଭାଟିଆ ଦଳକୁ ଫେରିଥିବାରୁ ଦଳୀୟ ସନ୍ତୁଳନ ଆହୁରି ମଜଭୁତ୍ ହୋଇଛି।
ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ଗ୍ରୁପ ଏ ରେ ରହିଛି। ଗୁପ୍ର ଏ ରେ ଭାରତ ସମେତ ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡସ୍, ଓ ବାଂଲାଦେଶ ଭଳି ଅନ୍ୟ ଦଳ ରହିଛନ୍ତି। ସବୁଠୁ ରୋଚକ ହେବ ଜୁନ୍ 14ରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚ । ପାକିସ୍ତାନ ବିପକ୍ଷ ହାଇ ଭୋଲ୍ଟେଜ ମ୍ୟାଚ ଖେଳି ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।