ଯୁବ ଦିବସରେ ପଡ଼ିଲା ନୂଆଦଳର ମୂଳଦୁଆ,ଯିଏ ରିସ୍କ ନେବନି ଆଗକୁ ବଢ଼ିପାରିବନି:ମୁଁ ଯାହା ନିଷ୍ପତ୍ତି ନିଏ କେବେ ଅଟକେ ନାହିଁ
ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବାକୁ ଯାଉଛି
କଟକ: ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ। ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ। ଅନ୍ୟପଟେ ଯୁବ ସମାବେଶରେ ପ୍ରମୁଖ ବ୍ୟକ୍ତିଙ୍କ ଅନୁପସ୍ଥିତିକୁ ନେଇ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ଯିଏ ରିସ୍କ୍ ନେବ ନାହିଁ ସେ ଆଗକୁ ବଢ଼ି ପାରିବନି। ଆମେ କାହିଁ ଅନ୍ୟକୁ ଫୋଲୋ କରିବା, ଗଣ୍ଡିରୁ ବାହାରି ଓଡ଼ିଶାକୁ ଆଗକୁ ନେବା। ସେଥିରେ ଯିଏ ସାମିଲ ହେବ ଆମେ ତାଙ୍କୁ ସ୍ୱାଗତ କରିବୁ। କଟକ ଯାହା ଚିନ୍ତା କରେ, ତାହା ପରବର୍ତ୍ତୀ ସମୟରେ ଓଡ଼ିଶାକୁ ବ୍ୟାପେ ବୋଲି ମୋକିମ୍ କହିଛନ୍ତି। ଏମିତିକି ମୁଁ ଯାହା ନିଷ୍ପତ୍ତି ନିଏ କେବେ ଅଟକେ ନାହିଁ ବୋଲି ନିଜ କଥାକୁ ଦୋହରାଇଛନ୍ତି ମୋକିମ୍।
ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି, ଯେ ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବାକୁ ଯାଉଚି। ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି।