ରାଜଧାନୀ ବାର୍ ରେ ଲାଗିଲା ନିଆଁ: ନିଆଁ ଲିଭାଇବା ପାଇଁ ଲାଗିଲା ଘଣ୍ଟାରଏ ସମୟ, ନିଆଁ ଲାଗିବା କାରଣ ଅସ୍ପଷ୍ଟ
ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା ଏକ ବାର (ନୋ ଲିମିଟ୍)ରେ ଲାଗିଥିଲା ନିଆଁ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ସତ୍ୟବିହାରରେ ଥିବା ଏକ ବାରରେ ନିଆଁ ଲାଗିବା ଫଳରେ ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡିଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ। ନିଆଁ ଲାଗିବା ଖବର ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି।
ସୂଚନା ଅନୁଯାୟୀ, ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା ଏକ ବାର (ନୋ ଲିମିଟ୍)ରେ ଲାଗିଥିଲା ନିଆଁ। ବାରର ଉପରେ ଥିବା ଛାତରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଚାହୁଁ ଚାହୁଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ପରିସ୍ଥିତି ଭୟଙ୍କର ହେବା ଆଗରୁ ନିଆଁକୁ ଲିଭେଇବାରେ ସଫଳ ହୋଇଛନ୍ତି ଫାୟାର ଟିମ। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା।ତେବେ କ୍ଷୟକ୍ଷତିର ଆକଳନ କରାଯଇ ନାହିଁ। କୁହାଯାଉଛି ଉକ୍ତ ବାରରେ ହୁକ୍କା ବାର୍ ଚାଲୁଥିଲା। ଏହି ବାର୍କୁ ଲାଇସେନ୍ସ ଦିଆଯାଇନଥିଲା ବୋଲି ଅବକାରୀ ବିଭାଗରୁ ସୂଚନା ଦିଆଯାଇଛି।