ଛାଡଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼
ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକରେ ଆମିଷ ଉପରେ ଯେମିତି ଲାଗିଥିଲା କଟକଣା। ଲୋକେ ମାସେ ହେଲା ଆମିଷ ଖାଉ ନଥିଲେ। ହାଣ୍ଡିଶାଳରେ ଆମିଷ ପାଇଁ ଥିଲା ନୋ ଏଣ୍ଟ୍ରି। ଶୁକ୍ରବାରେ ଲୋକେ ଛାଡଖାଇ ପାଳୁଥିବାରୁ ଗହଳି ଲାଗିଥିଲା ଆମିଷ ବଜାରରେ। ରାଜଧାନୀ ଭୁବନେଶ୍ଵରରେ ଭୋରରୁ ଲୋକେ ଆମିଷ କିଣିବାକୁ ବାହାରିଥିଲେ। ବିଭିନ୍ନ ଆମିଷ ଦୋକାନରେ ଲୋକଂକ ଲାଗିଥିଲା ଲମ୍ବା ଲାଇନ।ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେବେ କଟକରେ ବି ଦର ସମାନ। ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି।
ଗୁରୁବାର ଏଥର ପଡ଼ିଥିଲା ଛାଡଖାଇ। କିନ୍ତୁ ଅଧିକାଂଶ ଲୋକେ ଶୁକ୍ରବାର ପାଳିଛନ୍ତି ଛାଡଖାଇ। ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି । ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବାନେଇ ମାଛ ବେପାରୀ ଆଶାବାଦୀ ରହିଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଆଗକୁ ରବିବାର ଅଛି, ସେଦିନ ମଧ୍ୟ ଭଲ ଆମିଷ ବେପାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।