ସଲମାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ଲାନ୍ ‘ବି’

ମୁମ୍ବାଇ: ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନ୍- ବି। ମହାରାଷ୍ଟ୍ର ପାନଭେଲ୍ରେ ଥିବା ତାଙ୍କ ଗେଷ୍ଟ ହାଉସ୍ରେ ହତ୍ୟା କରାଯାଇଥାନ୍ତା ବଲିଡର ଦବଙ୍ଗ ଖାନଙ୍କୁ। ପୂରା ପ୍ଲାନ୍ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ପ୍ଲାନ୍ ଅନୁସାରେ, ପାନଭେଲ ଗେଷ୍ଟ ହାଉସ ଏରିଆରେ ବିଷ୍ଣୋଇ ଗ୍ୟାଙ୍ଗର ଲୋକଙ୍କୁ ମଧ୍ୟ ରଖାଯାଇଥିଲା। ହେଲେ ଏହି ଘଟଣା ଏବେ ପୁଲିସ ଆଗରେ ଉଜାଗର ହୋଇଛି।
ଚଳିତ ବର୍ଷ ଜୁନ ମାସରେ ମୁମ୍ବାଇର ବେଣ୍ଡଷ୍ଟାଣ୍ଡ ପ୍ରୋମେନେଡ୍ରେ ସମୁଦ୍ରକୂଳରେ ସଲମାନଙ୍କ ବାପା ସଲୀମ ଖାନ୍ଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠିରେ ସଲମାନଙ୍କୁ ଧମକ ଦିଆଯାଇଥିଲା। ଯେଉଁଥିରେ ଲେଖାଥିଲା -ତୁମହାରା ମୁସେୱାଲା କରଦେଙ୍ଗେ। ଅର୍ଥାତ୍ ତୁମର ମୁସେୱାଲାଙ୍କ ଭଳି ଅବସ୍ଥା ହେବ। ଏହାର କିଛି ସପ୍ତାହ ପୂର୍ବରୁ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୦ରୁ ଅଧିକ ଶୁଟର ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗର ହାତ ଥିବା ଜାଣିବାକୁ ପାଇଥିଲା ପୁଲିସ୍।
ସେହିପରି ସଲମାନଙ୍କୁ ହତ୍ୟା କରିବାକୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଛି। କାନାଡ଼ାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ଓ କପିଲ ପଣ୍ଡିତ ଏହି ଯୋଜନାର ନେତୃତ୍ୱ ନେଉଛନ୍ତି। କପିଲ ପଣ୍ଡିତ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଦକ୍ଷ ବନ୍ଧୁକ ଚାଳକ। ଯାହାକୁ ନିକଟରେ ଭାରତ-ନେପାଳ ବର୍ଡରରେ ଗିରଫ କରାଯାଇଛି।