ରୁଷ ରାଷ୍ଟ୍ରପତିଙ୍କ କାରକେଡ୍ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁସାରେ ନିକଟରେ ଏକ ଯାତ୍ରା ସମୟରେ ପୁଟିନଙ୍କ କାରକେଡ୍ ଉପରେ ବିସ୍ଫୋରକରେ ଆକ୍ରମଣ କରାଯାଇଥିଲା । ଗୋଟିଏ କାର ପୁଟିନଙ୍କ କାରକେଡ୍ ଆଗକୁ ଆସି ଅଟକାଇ ଥିଲା, ଏହି ସମୟରେ ଅନ୍ୟ କାର ପୁଟିନଙ୍କ ଗାଡ଼ି ଉପରେ ବିସ୍ଫୋରକ ଫିଙ୍ଗି ଥିବା ଦାବି କରାଯାଉଛି।
ଜେନେରାଲ ଏସଭିଆ ଟେଲିଗ୍ରାମ ଚ୍ୟାନେଲକୁ ଆଧାର କରି ଏକ୍ସପ୍ରେସ ୟୁକେ ଏହି ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି, ପୁଟିନ ନିଜ ଘରକୁ ଫେରୁଥିଲେ, କିଛି କିଲୋମିଟର ଦୂରରୁ ତାଙ୍କୁ ଏସ୍କର୍ଟ କରୁଥିବା କାର ଆମ୍ୱୁଲାନ୍ସକୁ ଅଟକାଯାଇଥିଲା, ଦ୍ୱିତୀୟ କାର ବିନା ଅଟକି ଚାଲି ଯାଇଥିଲା । ଏହାପରେ ତୃତୀୟ କାରର ବାମ ଚକ ନିକଟରୁ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି କାରରେ ହିଁ ପୁଟିନ ଯାତ୍ରା କରୁଥିଲେ । ବିସ୍ଫୋରଣ ପରେ ଅଞ୍ଚଳରେ ଧୂଆଁ ଖେଳି ଯାଇଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ଆକ୍ରମଣ ପରେ ବି ପୁଟିନ ନିଜ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ପହଞ୍ଚିଥିଲେ।