thelifelinemedia
Latest Odisha News, Breaking News Today

ମାଲକାନଗିରିରେ ଅଜଣା ରୋଗର ଆତଙ୍କ: ହଳଦୀକୁଣ୍ଡ ଗସ୍ତ କଲେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ୨ ବଶେଷଜ୍ଞ ଡାକ୍ତର

ମାଲକାନଗିରି: ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗର ଆତଙ୍କ ଏବେ ବି ରହିଛି। ଲୋକେ ଭୟଭୀତ ହୋଇରହିଛନ୍ତି। କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ପ୍ରଫୁଲ କୁମାର ନନ୍ଦଙ୍କ ସମେତ ରାଜ୍ୟରୁ ଆସିଥିବା ଦୁଇ ବିଶେଷଜ୍ଞ ଡାକ୍ତର ହଳଦୀକୁଣ୍ଡ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆହୁରି ୫ ଜଣ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ମାଲକାନଗିରି ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରିଥିବା କହିଥିଲେ।

ତେବେ ରକ୍ତ, ପାଣି ଏବଂ ସ୍ଥାନୀୟ ଅଂଚଳରେ ବିକ୍ରି ହେଉଥିବା ମଦର ନମୂନା ପରୀକ୍ଷା କରିବା ପରେ ସବୁ ପଜିଟିଭ ଆସିଥିବା କହିଥିଲେ। ଲୋକଙ୍କର ଲିଭର ଏବଂ କିଡ୍‌ନି ଖରାପ ହେଉଥିବା ଯୋଗୁଁ ମୃତ୍ୟୁ ହେଉଥିବା ସିଡିଏମଓ ଶ୍ରୀ ନନ୍ଦ କହିଥିଲେ। ଏହି ଅଂଚଳର ପାଣି ସଂପୂର୍ଣ୍ଣ ରୂପେ ଖରାପ ହୋଇଥିବା ବେଳେ ଯେଉଁ ମଦ ପିଆଯାଉଛି ତାହା ମଣିଷ ପାଇଁ ଘାତକ ବୋଲି କହିଥିଲେ।ସେହି ମଦ ପିଇବା ସଂପୂର୍ଣ୍ଣ ରୂପେ ବିପଦକୁ ଡାକିବା କଥା କହିଥିଲେ ଶ୍ରୀ ନନ୍ଦ।ସେହିପରି ସୁଷମ ଖାଦ୍ୟର ଅଭାବ ଲୋକଙ୍କୁ ରୋଗାଗ୍ରସ୍ତ କରୁଛି।ଲୋକେ ଦିନ ତମାମ କାମ କରିବା ପରେ ମଦ ପିଇ ଶୋଇ ପଡନ୍ତି।ଦିନ ତମାମ ଅଳ୍ପ ଖାଦ୍ୟ ଖାଇବା ସହ ମଦକୁ ବେଶୀ ଗ୍ରହଣ କରୁଥିବାରୁ ଏଭଳି ଅବସ୍ଥାରେ ପଡିଥିବା କୁହାଯାଇଛି।ତେବେ ଆସିଥିବା ବିଶେଷଜ୍ଞ ଡାକ୍ତରମାନେ ସ୍ଥିତି ପରଖିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ।ତେବେ ଜିଲ୍ଲା ପ୍ରଶାସନ ଏହି ଅଂଚଳରେ ବିଶୁଦ୍ଧ ପାଣି ଯୋଗାଇବା ସହ ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି।

Leave A Reply

Your email address will not be published.