ବିହାର ନିର୍ବାଚନ: ସମାନ ଆସନରେ ଲଢ଼ିବେ ଜେଡିୟୁ ଓ ବିଜେପି
ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ରାଜନୀତିକ ପାରା ଉପରମୁହାଁ। ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହେବା ପରେ ସରଗରମ ହୋଇଛି ରାଜନୀତିକ ମହୋଲ। ସହମତି ଭିତ୍ତିରେ ଏନଡିଏ ଆସନ ବୁଝାମଣା କରିଛି।ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ଲଢ଼ିବେ,ଯେତେବେଳେ କି ଚିରାଗ ପାସୱାନଙ୍କ ଦଳକୁ ୨୯ ଆସନ ଦିଆଯାଇଛି। ଜିତନ ରାମ ମାଞ୍ଝିଙ୍କ ଦଳକୁ ୬ ଆସନ ଦିଆଯାଇଛି।
ପୂର୍ବରୁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁକୁ ମେଣ୍ଟରେ “ବଡ଼ ଭାଇ” ମାନ୍ୟତା ଦିଆଯିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ଉଭୟ ବିଜେପି ଓ ଜେଡିୟୁ ସମାନ ଆସନରେ ଲଢ଼ିବେ। ଗତ ଥର ଅପେକ୍ଷା ଚିରାଗ ପାସୱାନଙ୍କ ଦଳକୁ ଅଧିକ ସିଟରେ ଲଢ଼ିବା ନେଇ ସୁଯୋଗ ଦିଆଯାଇଛି।
ବିଜେପି ବିହାର ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଏନଡିଏ ପରିବାରର ସମସ୍ତ ସଦସ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସହମତ ହୋଇଛନ୍ତି। ସେହିପରି ବିହାର ବିଜେପି ସଭାପତି ଦିଲୀପ ଜୟସୱାଲ କହିଛନ୍ତି, “ଏନଡିଏ ଏକଜୁଟ ଅଛି। ଆମେ ଦୃଢ଼ ବହୁମତ ସହିତ ସରକାର ଗଠନ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି।