କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର ପ୍ରଶଂସା, କୋଭିଡ୍ ବେଳେ ଯୋଗାଇଥିଲେ ପୋଷଣଯୁକ୍ତ ଖାଦ୍ୟ

କେନ୍ଦୁଝର: କରୋନା ସମୟରେ ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କେଉଁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ ପ୍ରସ୍ତୁତ କରି କେଉଁଝର ଖାଦ୍ୟବଣ୍ଟନକୁ ପ୍ରଶଂସା କରିଛି ଆୟୋଗ।
୨୦୨୦ ଜୁଲାଇ କୋଭିଡ୍ ସମୟରେ କେଉଁଝର ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ୩-୬ ବର୍ଷର ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଥିଲା। ଶିଶୁମାନଙ୍କୁ କୁପୋଷଣରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେଉଁଝର ଏଭଳି ନିଷ୍ପତ୍ତି ନେଇଥିଲା।