thelifelinemedia
Latest Odisha News, Breaking News Today

ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ 

ଭୁବନେଶ୍ୱର:ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି। ଏହି ଅବସରରେ ସାଧାରଣ ଲୋକଙ୍କ ସରକାର, ଚାଷୀଭାଇଙ୍କ ସରକାର ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ- ୮୦୦ ଟଙ୍କା ଇନ୍‌ପୁଟ୍‌ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏହି ଛଅ ମାସ ମଧ୍ୟରେ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ସହିତ ୮୦୦ ଟଙ୍କା ଇନ୍‌ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ। ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍‌ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଡିସେମ୍ବର ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକଟନ୍‌ ଧାନ ବିକ୍ରି କରିଛନ୍ତି। ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନ୍‌ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ କରାଯିବ। ସମୀକ୍ଷାରେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.