ERSS ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ।
ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩୦ଟି ନୂଆ ଯାନ ପୋଲିସଙ୍କ କାର୍ଯ୍ୟ ଦକ୍ଷତାକୁ ସୁଦୃଢ କରିବ। ଏଗୁଡିକ ସାଧାରଣ ଗାଡି ନୁହେଁ। ଏଗୁଡିକ ହେଉଛି ଗୋଟିଏ ଗୋଟିଏ ସୁରକ୍ଷା ରଥ। ଏଗୁଡିକ ହେଉଛି ନ୍ୟାୟର, ଶୃଙ୍ଖଳାର, ଭୟମୁକ୍ତ ବାତାବରଣର ଓ ଅପରାଧମୁକ୍ତ ସମାଜର ପ୍ରତୀକ । ଏହି ଗାଡିଗୁଡିକ ଯେତିକି ଗଡିବ ଲୋକମାନେ ସେତିକ ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢିବ।