ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି :ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ କରିବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ । ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍ ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି । କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ।
ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।