ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା: ସହମତି ପ୍ରକାଶ କଲେ ହାଇକୋର୍ଟ

କଟକ: ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ହାଇକୋର୍ଟ। ଏସସିବିକୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସର ସମସ୍ୟାକୁ ନେଇ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ସମ୍ଭବ କି ନାହିଁ ସେ ସମ୍ପର୍କରେ ମତ ରଖିବା ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କଟକ ସହର ସମସ୍ୟା ମାମଲାର ଶୁଣାଣିରେ ଏହି ପ୍ରସଙ୍ଗ ସ୍ଥାନ ପାଇଥିଲା। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ପୂର୍ବ ନିର୍ଦ୍ଦେଶ ମୁତାବକ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ସହିତ ଶୁଣାଣି ସମୟରେ ବ୍ୟକ୍ତିଗତ ଉପସ୍ଥିତ ଥିଲେ। କଟକ ଡ଼ିସିପି ଜଗମୋହନ ମୀନା ମଧ୍ୟ ଭରଚୁଆଲରେ ଉପସ୍ଥିତ ରହି ବାଲିଯାତ୍ରା ପାଇଁ ୬୭ ପ୍ଲାଟୁନ ଫୋର୍ସ ଓ ୨୮ ପୋଲିସ ଏଡ଼ ପୋଷ୍ଟ ହେଉଥିବା କହିଥିଲେ। ବାଲିଯାତ୍ରାରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ହାଇକୋର୍ଟ କଟକ ଡ଼ିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ କଟକ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର କରିଡର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା କଡ କିମ୍ବା ଫୁଟପାଥ ଉପରେ ଏବଂ ମାନ୍ୟବର ବିଚାରପତିମାନଙ୍କ ବାସଭବନ ସମ୍ମୁଖରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି ହାଇକୋର୍ଟ। ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ତଳ ବାଲିଯାତ୍ରା ପଡ଼ିଆର ତଳ ପଟରେ ଏକ ଗ୍ରୀନ କରିଡର କରାଯାଉଥିବା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି କଟକ ଜିଲ୍ଲାପାଳ। ସିଡିଏ ପଟରୁ କିମ୍ବା ନୂଆପାଟଣା ବ୍ରିଜ ପଟରୁ ଏସସିବି ଆସୁଥିବା ଆମ୍ବୁଲାନ୍ସ କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରୁ ଏହି ଗ୍ରୀନ କରିଡର ଦେଇ ଏସସିବିରେ ସୁବିଧାରେ ପହଁଚି ପାରିବେ। କଟକ ଜିଲ୍ଲା ପ୍ରଶାସନ ଉପର ବାଲିଯାତ୍ରା ପଡ଼ିଆରେ ୬୦୧ ଟି ଷ୍ଟଲ କରୁଥିବା ବେଳେ ତଳ ବାଲିଯାତ୍ରା ପଡିଆରେ ୧୨୫୦ ଟି ସରକାରୀ ଷ୍ଟଲ ଓ ୫୮୭ ଟି ବେସରକାରୀ ଷ୍ଟଲ କରୁଥିବା ସତ୍ୟପାଠରେ ଉଲ୍ଲେଖ ରହିଛି।