ସାଇବର ଠକେଇର ମାସିକ ରିପୋର୍ଟ: ରାଜଧାନୀରେ ମାସକରେ ଲୁଟ ହୋଇଛି ୭ କୋଟି ୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାଇବର ଠକେଇକୁ ନେଇ ଆସିଛି ମାସିକ ରିପୋର୍ଟ। ଭୁବନେଶ୍ୱରରୁ କେବଳ ଅକ୍ଟୋବର ମାସରେ କେତେ ପରିମାଣର ଠକେଇ ହୋଇଛି ସେ ନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି।ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରୁ ମାସକରେ ସାଇବର ଠକ ଲୁଟିଛନ୍ତି ୭ କୋଟି ୬ଲକ୍ଷ ୩୩ ହଜାର ୫୦୬ଟଙ୍କା। ଅକ୍ଟୋବରରେ ହୋଇଥିବା ସାଇବର ଠକେଇର ମାସିକ ରିପୋର୍ଟରେ ଏତିକି ପରିମାଣର ଠକେଇ ହୋଇଥିବା କୁହାଯାଇଛି। ଅକ୍ଟୋବରରେ ୪୭୬ଟି ଫ୍ରଡ଼ କଲ ଆସିଥିଲା
୧୮୬ଟି UPI ଫ୍ରଡ଼ ହୋଇଛି। ୫୪ଟି କ୍ରେଡିଟ ଜନିତ ଠକେଇ ଓ ଡେବିଟ କାର୍ଡ଼ ଜନିତ ଠକେଇ ହୋଇଛି। ଯେଉଁଥିରେ ୪୦ ଲକ୍ଷ ୭୩ ହଜାର ଟଙ୍କା ଫେରସ୍ତ କରିବାକୁ ସାଇବର ପୋଲିସ ସକ୍ଷମ ହୋଇଛି ସେହିପରି ୧କୋଟି ୭୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି। ମାସକରେ ମୋଟ ୭୨ ଟି ମାମଲା ରୁଜୁ ହୋଇଛି ଯେଉଁଥିରେ ୭ ଜଣ ଗିରଫ ହୋଇଛନ୍ତି ବୋଲି ଜଣାପଡିଛି।
ସାଇବର ଠକେଇ ବର୍ତ୍ତମାନ ସମୟରେ ଚିନ୍ତାର କାରଣ ପାଲଟିଛି। ବିଭିନ୍ନ ତରିକାରେ ଅପରାଧୀ ମାନେ ଲୋକଙ୍କୁ ଠକୁଛନ୍ତି। ନିକଟରେ ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ସାଇବର ଠକେଇର ଡିଜିଟାଲ ଆରେଷ୍ଟ କଥା ସାମ୍ନାକୁ ଆଣିଥିଲେ। ସାଇବର ଠକେଇକୁ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି। କିନ୍ତୁ ସବୁ ପରେ ଲୋକଙ୍କୁ ଏ ଦିଗରେ ସଚେତନ ହେବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।