ଝାଡ଼ଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର ପ୍ରଚାରକ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ରହିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ମାତ ଦେଇ ସରକାର ଗଢ଼ିବାକୁ ବିଜେପି ସବୁ ବଳ ଖଟାଇ ଦେଇଛି । ଦୀର୍ଘ ବର୍ଷ ପରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ ।
ଓଡ଼ିଶାରେ ସଫଳତା ପରେ ଝାଡ଼ଖଣ୍ଡ ନିର୍ବାଚନରେ ମୋହନ ମାଝୀଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି । ସେହିଭଳି ୨୦୨୪ ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ସମ୍ବଲପୁରର ସାଂସଦ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗୁରୁଦାୟିତ୍ବ ମିଳିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ, ଏବଂ ଶିବାରାଜ ସିଂ ଚୌହାନ ପ୍ରମୁଖଙ୍କ ନାଁ ସାମିଲ ରହିଛି ।