ବାତ୍ୟା ଦାନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

ପୁରୀ: ବାତ୍ୟା ଦାନାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେର ଗ୍ରହଣ କରାଯାଇଛି l ମୁଖ୍ୟ ପ୍ରଶାସକ ସମସ୍ତ ବ୍ୟବସ୍ଥାର ଟିକିନିଖି ଭାବେ ତଦାରଖ କରିବା ସହ ପ୍ରଶାସକ ତଥା ଅନ୍ୟ ଅଧିକାରୀ କର୍ମଚାରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ ସେ ଦିଗରେ, ଆବଶ୍ୟକ ବାତ୍ୟା ସମ୍ପର୍କିତ ସତର୍କତା ରକ୍ଷା କରି ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଂହଦ୍ୱାର ସମ୍ମୁଖ LED screen କୁ ଅପସାରଣ କରାଯାଇଥିବା ବେଳେ ସୂଚନା କେନ୍ଦ୍ର କାଚ ସ୍ଥାନରେ ply wood ଲଗାଯାଇଛି। କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆ ଯାଇଛି।ସାତପାହାଚ ନିକଟେ ଭକ୍ତମାନଂକ ସୁବିଧା ପାଇଁ ଥିବା ଧାଡ଼ି ବ୍ୟବସ୍ଥା ବ୍ଯାରିକେଡ୍ ଉପର ଛାତ କଢ଼ାଯାଇଥିବା ବେଳେ ଉପବନରୁ ସୌନ୍ଦର୍ଯ୍ୟକରଣ ଲାଇଟ୍ ବାହାର କରାଯାଇଛି। ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ାଯାଇଥିବା ବେଳେ ସମସ୍ତ ହାଲୁକା ବ୍ୟାରିକେଡକୁ ଗୋଟିଏ ଯାଗାରେ ଜମା କରି ରଶି ଦ୍ଵାରା ବନ୍ଧା ଯିବ। ସମସ୍ତ ଜେନେରେଟର ସେଟ ଡିଜେଲ ଭର୍ତ୍ତି କରାଯିବା ସହ ଗୋଟିଏ JCB ରିଜର୍ଭ ରଖାଯାଇଛି।ସେହିପରି CCTV ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏ ସବୁ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ASI ଏବଂ OBCC ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମଧ୍ୟ ସମସ୍ତ ବ୍ୟବସ୍ଥାର ତତ୍ତ୍ଵାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି।