୨୨ରେ ପୁଣି ଲଘୁଚାପ:ନେଇପାରେ ବାତ୍ୟାର ରୂପ!

ଭୁବନେଶ୍ୱର:ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି।ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ୍ ମଡେଲ ଦର୍ଶାଇଛି, ବଡ଼ ନ ହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ମଡେଲରେ ଆକଳନ କରାଯାଇଛି।ଜିଏଫଏସ୍ ମଡେଲର ଆକଳନ ଅନୁସାରେ, ସମୁଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ। ଉପକୂଳକୁ ଆସିବା ପରେ ଏହା ଦୁର୍ବଳ ହୋଇଯିବ କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ବିସ୍ତୃତ ବର୍ଷା ହୋଇପାରେ। ୨୪ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଲଘୁଚାପ ରୂପ ନେବ। ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ। ଏହା ଉତ୍ତର ବା ଉତ୍ତର ପଶ୍ଚିମକୁ ଗତି କରିବ ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ। ଯଦି ଏହା ଓଡ଼ିଶା ଉପକୂଳ ଦେଇ ଯିବ ବା ଓଡ଼ିଶା ଛୁଇଁବ ତେବେ ଭାରି ବର୍ଷା ହେବ । ଏବେ ଯେଉଁ ଲଘୁଚାପ ସକ୍ରିୟ ଅଛି, ତାହା ଅପସାରଣ ପରେ ଆଗାମୀ ଲଘୁଚାପର ପ୍ରଭାବ ଆକଳନ କରି ହେବ ବୋଲି ସେ କହିଛନ୍ତି। ସେପଟେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ତାମିଲନାଡୁର ବହୁ ଦୂରରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିଲା ।