ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଧାନ ସଂଗ୍ରହରେ ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ହେବ ବନ୍ଦ

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆ ଯାଉଛି। ସେଥିପାଇଁ ଚାଷୀମାନଙ୍କ ଭିତରେ ବିପୁଳ ଉତ୍ସାହ ରହିଛି। ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେମାନେ ସରକାରଙ୍କ ପାଇଁ One-Point-Contact ଭାବେ କାର୍ଯ୍ୟ କରିବେ। ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ, ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେଥିପାଇଁ ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ। ସେମାନେ ଯେପରି ବିନା କୌଣସି ଅସୁବିଧାରେ ସେମାନଙ୍କ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲ୍ଲାପାଳମାନଙ୍କର। ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ଟୋକେନ୍ର ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇ ପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚତେନ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକେନ୍ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ଉଚ୍ଚ ସ୍ତରୀୟ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ ଏବଂ କୃଷି, ସମବାୟ, ଖାଦ୍ୟ ଯୋଗାଣ, ପରିବହନ ଓ ଅନ୍ୟ ସଂପୃକ୍ତ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।