ମୋଦୀ ସରକାରଙ୍କ ବଡ ଘୋଷଣା, ୨୦୨୮ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଅନେକ ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି। ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ମାଗଣା ଚାଉଳ ଯୋଗାଣ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଏ ବାବଦରେ ସମ୍ପୂର୍ଣ୍ଣ ଖର୍ଚ୍ଚ ୧୭୦୮୨ କୋଟି ହେବ । ଏହି ଅର୍ଥ କେନ୍ଦ୍ର ସରକାର ଖର୍ଚ୍ଚ କରିବେ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପୋଷଣ ସୁରକ୍ଷା ବୃଦ୍ଧି କରିବା।
ଏପ୍ରିଲ୍ ୨୦୨୨ରେ, କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି (CCEA) ମାର୍ଚ୍ଚ ୨୦୨୪ ସୁଦ୍ଧା ପର୍ଯ୍ୟାୟ କ୍ରମେ ଚାଉଳ ଯୋଗଣା ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏପର୍ଯ୍ୟନ୍ତ ଏହାକୁ ତିନୋଟି ପର୍ଯ୍ୟାୟରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ସେ କହିଛନ୍ତି ଯେ ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଣ ରକ୍ତହୀନତା ଏବଂ ସୁକ୍ଷ୍ମ ପୋଷକ ତତ୍ତ୍ବର ଅଭାବକୁ ହ୍ରାସ କରିବ ।