ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ: ୫ ହଜାର ଟଙ୍କା ଲେଖାଏ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।